ମମ୍ବାଇ:ମରାଠା ସଂରକ୍ଷଣ ଆନ୍ଦୋଳନରେ ମହାରାଷ୍ଟ୍ରର ବିଡ ଜିଲ୍ଲା ଅଶାନ୍ତ ହେବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏକାଧିକ NCP ବିଧାୟକ । ଆଜି ବିଡ ଜିଲ୍ଲାରେ ଏକାଧିକ ଏନସିପି ବିଧାୟକଙ୍କ ବାସଭବନ ସମେତ ଦଳର ଜିଲ୍ଲା କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି । ପ୍ରଥମେ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେ ଓ ପରେ ବିଧାୟକ ସନ୍ଦୀପ କ୍ଷୀରସାଗରଙ୍କ ସମେତ ରାଜ୍ୟର ପୂର୍ବତନ ମନ୍ତ୍ରୀ ଜୟ କ୍ଷୀରସାଗରଙ୍କ ବାସଭବନ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏହା ସହ ବିଡ ଡିଲ୍ଲାରେ ଥିବା ଏନସିପି କାର୍ଯ୍ୟାଳୟରେ ମଧ୍ୟ ଆନ୍ଦୋଳନକାରୀ ନିଆଁ ଲଗାଇଦେଇଛନ୍ତି ।
ତେବେ ପୁରା ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖାଯାଇଛି । ପୋଲିସ ସୁରକ୍ଷା ବଢାଯାଇଥିବା ବେଳେ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ହିଂସାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସ୍ଥାନୀୟ ମାଜିଷ୍ଟ୍ରେଟ ଦୀପା ମୁଢଲ ମୁଣ୍ଡେ ଜିଲ୍ଲା ସଦର ମହକୁମାର 5 କି.ମି ମଧ୍ୟରେ ଧାରା-144 ଜାରି କରିଛନ୍ତି । ସେହିପରି ସମସ୍ତ ତହସିଲ ମୁଖ୍ୟାଳୟର 5 କି.ମି ମଧ୍ୟରେ ମଧ୍ୟ ଏହା ଜାରି କରାଯାଇଛି । ଏହି ସ୍ଥାନରେ କୌଣସି ପ୍ରକାର ଅନାବଶ୍ୟକ ଭିଡ କିମ୍ବା ଗତିବିଧି ଉପରେ ରୋକ ଲଗାଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ବିକ୍ଷୋଭ ଓ ଅନ୍ୟ କୌଣସି ଶୋଭାଯାତ୍ରାକୁ ନିଷେଧ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନକୁ ବଢାଇ ଦିଆଯାଇଛି ।