ରାୟପୁର:ନକ୍ସଲ ପ୍ରବଣଛତିଶଗଡ ବିଜାପୁରରେ ପୁଣି ଲାଲବାହିନୀର ନାରକୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଘର ସାମ୍ନାରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ନକ୍ସଲ । ହତ୍ୟାର ଶିକାର ହୋଇଥିବା ବିଜେପି ନେତା ହେଲେ ନୀଳକଣ୍ଠ କକ୍କେମ ଓ ସେ ଉସୁର ମଣ୍ଡଳର ବିଜେପି ସଭାପତି ଥିଲେ । ହତ୍ୟାକାଣ୍ଡକୁ ରୂପ ଦେବା ପରେ ସେମାନଙ୍କ କର୍ତ୍ତୃତ୍ବ ଜାହିର କରିବା ପାଇଁ ଘଟଣାସ୍ଥଳରେ ପାମ୍ପଲେଟ୍ ଫିଙ୍ଗି ଚାଲିଯାଇଛନ୍ତି ନକ୍ସଲ । ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଉକ୍ତ ପାମ୍ପଲେଟରେ ଉଲ୍ଲେଖ ରହିଛି । ଏପରି ଘଟଣା ପରେ ପୁଣି ଥରେ ବିଜାପୁର ଅଞ୍ଚଳରେ ନକ୍ସଲ ଆତଙ୍କ ଦେଖାଦେଇଛି ।
ପରିବାର ଲୋକଙ୍କ ସୂଚନା ଅନୁସାରେ ନୀଳକଣ୍ଠ ପ୍ରାୟ 15 ବର୍ଷ ହେବ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ତୁଲାଇଆସୁଥିଲେ । ଗତକାଲି ତାଙ୍କ ଶାଳୀଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିଜ ପୈତୃକ ଗ୍ରାମ ଆଭାପାଲ୍ଲୀ ଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଆଭାପାଲ୍ଲୀ ଗ୍ରାମରେ ସଶସ୍ତ୍ର ନକ୍ସଲଙ୍କ ଏକ ଟିମ୍ ପହଞ୍ଚିଥିଲା । ସେମାନେ ନୀଳକଣ୍ଠକୁ ଘରୁ ଡାକି ପରିବାର ସଦସ୍ୟଙ୍କ ସମ୍ମୁଖରେ ହିଁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ଉକ୍ତ ସ୍ଥାନରେ ମୃତଦେହ ନିକଟରେ ହାତଲେଖା ଲିଫଲେଟ୍ ଏବଂ ପାମ୍ପଲେଟ ଫିଙ୍ଗି ନକ୍ସଲ ଫେରାର ହୋଇଯାଇଥିଲେ । ସୂଚନା ପାଇ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।