ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ଅଗଷ୍ଟ ମାସ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ସେପ୍ଟେମ୍ବର ମାସ । ନୂଆ ମାସ ଆରମ୍ଭ ହେବା ସହ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ନଜର ପକାନ୍ତୁ ସେପ୍ଟେମ୍ବର ପହିଲାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ଆସିବ ।
ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ:ସେପ୍ଟେମ୍ବର ପହିଲାରୁ କମିବ ଏସପିଜି ସିଲିଣ୍ଡର ଦର । ଅଗଷ୍ଟ 29 ତାରିଖରେ ଉପଭୋକ୍ତାଙ୍କ ପାଇଁ ଏହି ବଡ ଘୋଷଣା କରିଥିଲେ କେନ୍ଦ୍ର ସରକାର । 14 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 200 ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସମେତ ଦେଶର ସମସ୍ତ ଗ୍ୟାସ ଉପଭୋକ୍ତା ଏହାର ଲାଭ ପାଇବେ । ତେବେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ ମିଳିବ । କାରଣ ସିଲିଣ୍ଡର ଦର 200 ଟଙ୍କା କମିଥିବା ବେଳେ ଉଜ୍ଜ୍ୱଳା ଯୋଜନାରେ 200 ଟଙ୍କାର ସବସିଡ ମଧ୍ୟ ମିଳିବ ।
CNG-PNG ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ:ସେପ୍ଟେମ୍ବର ପହିଲାରୁ ସାଧାରଣ ଲୋକଙ୍କ ପକେଟକୁ ପୁଣି ଝଟକା ଲାଗି ପାରେ । କାହିଁକିନା ସିଏନଜି(CNG) ଓ ଘରୋଇ ପିଏନଜି(PNG)ର ନୂଆ ଦର ଲାଗୁ ହୋଇପାରେ ।
କ୍ରେଡିଟ୍ କାର୍ଡରେ ଆସିପାରେ ପରିବର୍ତ୍ତନ: ସେପ୍ଟେମ୍ବର ପହିଲାରୁ କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ ଆସିପାରେ । ଆକ୍ସିସ୍ ବ୍ୟାଙ୍କର ମ୍ୟାଗ୍ନସ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ ଆସିବା ନେଇ କୁହାଯାଉଛି । ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, କିଛି ନେଣଦେଣରେ ରିହାତି ପାଇ ପାରିବେନି ଗ୍ରାହକ । ଏଥିସହ ଯେଉଁ ମାନେ ମ୍ୟାଗ୍ନସ କ୍ରେଡିଟ୍ କାର୍ଡ ରଖିଛନ୍ତି ସେମାନଙ୍କୁ ମଧ୍ୟ ବାର୍ଷିକ ଦେୟ ଦେବାକୁ ପଡିପାରେ ।