ଡେରାଡୁନ:ଦୀର୍ଘ ବର୍ଷର ଅପେକ୍ଷା ପରେ ଚଳିତ 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ସମୟ ନିକଟତର ହେଉଥିବା ବେଳେ ଏହାକୁ ନେଇ ସାରା ଦେଶରେ ଉତ୍ସାହ ଓ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଭିନ୍ନ ଏକ ରୋଚକ ଖବର ମଧ୍ୟ ସାମ୍ନାକୁ ଆସିଛି । ଆସନ୍ନ ପ୍ରସବା ମହିଳାମାନେ ସେହି ଦିନ ହିଁ ସନ୍ତାନ ପ୍ରସବ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏପରିକି କିଛି ସ୍ଥାନରେ ଏଥିପାଇଁ ଆଗୁଆ ହସ୍ପିଟାଲ ମଧ୍ୟ ବୁକିଂ ହୋଇସାରିଥିବା ସୂଚନା ମିଳିଛି । ମହିଳାମାନଙ୍କ ପରିବାର ସଦସ୍ୟ ଡାକ୍ତରଙ୍କ ନିକଟରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି ।
ତେବେ ଏହି ପ୍ରାକୃତିକ ପ୍ରକ୍ରିୟା ଏତେ ସହଜ ହୋଇନଥିବା ବେଳେ ଏଥିପାଇଁ ବହୁ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ସଦସ୍ୟ ଡାକ୍ତରଙ୍କ ପରାମର୍ଶ ଲୋଡିଛନ୍ତି । ପ୍ରସବ ତାରିଖ 22 ତାରିଖ ଓ ଏହାର ନିକଟବର୍ତ୍ତୀ ହୋଇଥିଲେ, ଏହାକୁ ଡାକ୍ତରୀ ସହୟତାରେ ସହଳ କିମ୍ବା ବିଳମ୍ବ କରିବାକୁ ମଧ୍ୟ ସେମାନେ ଇଚ୍ଛା ପ୍ରକାଶ କରିଛନ୍ତି । ଅସ୍ତ୍ରୋପଚାର ମାଧ୍ୟମରେ ନିର୍ଦ୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ପ୍ରସବ କରାଇବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ମାତ୍ର ଏହି ଇଚ୍ଛା ବାସ୍ତବତାରେ ପରିଣତ ହେବାରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ମାତ୍ର ଏପରି ଏକ ପବିତ୍ର ଅବସରରେ ମହିଳାମାନେ ସନ୍ତାନ ଜନ୍ମ ଦେବାକୁ ବେଶ ଉତ୍ସାହିତ ବୋଲି ଏକାଧିକ ସୂତ୍ରରୁ ତଥ୍ୟ କହୁଛି ।