ନୂଆଦିଲ୍ଲୀ: 71 ବର୍ଷରେ ପାଦ ଥାପିଲେ ଭାରତର 14ତମ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମୀ ତଥା ବହୁ ନେତା ରାଜନେତାଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜନେତାମାନେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ମୋଦିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରିଛନ୍ତି । ‘ଆପଣଙ୍କ ମନରେ ଥିବା ସର୍ବଦା ସେବାର ଗାଥାକୁ ନେଇ ରାଷ୍ଟ୍ରସେବା କରିଚାଲନ୍ତୁ’ ବୋଲି ରାଷ୍ଟ୍ରପତି କହିଛନ୍ତି ।
ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ‘ତାଙ୍କର ଅତୁଳନୀୟ ଦୃଷ୍ଟିକୋଣ, ଆଦର୍ଶ ନେତୃତ୍ୱ ଏବଂ ଉତ୍ସର୍ଗୀକୃତ ସେବା ଦେଶର ସର୍ବଦଳୀୟ ଅଭିବୃଦ୍ଧି କରିପାରିଛି । ସେ ଦୀର୍ଘ, ସୁସ୍ଥ ଏବଂ ସୁଖମୟ ଜୀବନ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ’ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ଗୃହ ମନ୍ତ୍ରୀ ଅମିତ ଶାହା ଟ୍ବିଟ କରି କହିଛନ୍ତି ଯେ, ଦେଶର ସର୍ବପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭକାମନା । ଈଶ୍ବରଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି । ମୋଦିଜି କେବଳ ଯେ ଦେଶକୁ ସମୟ ସହ ତାଳ ଦେଇ ଆଗକୁ ବଢିବା ଏବଂ ପରିଶ୍ରମର ପରାକାଷ୍ଠାରେ ପ୍ରତିଜ୍ଞା ପୂରଣ ପାଇଁ ଚିନ୍ତା କରିନାହାନ୍ତି ଏହାକୁ ମଧ୍ୟ ବାସ୍ତବର ଚିତ୍ର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିକାଶ ଏବଂ ଉତ୍ତମ ଶାସନର ଅନେକ ନୂତନ ଅଧ୍ୟାୟ ଲେଖିଛନ୍ତି। ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ତଥା ଆତ୍ମ ସମ୍ମାନକାରୀ ଦେଶରେ ପରିଣତ କରିବାର ସ୍ୱପ୍ନ ସାକାର ହେଉ, ଏହା ତାଙ୍କ ଜନ୍ମଦିନରେ ଇଚ୍ଛା । ଭଗବାନ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଦେଇ ଆଶୀର୍ବାଦ କରନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।