ଓଡିଶା

odisha

ETV Bharat / bharat

Rajasthan Accident: ରାସ୍ତାକଡରେ ଛିଡା ହୋଇଥିବା ବସ୍‌କୁ ଧକ୍କା ଦେଲା ଟ୍ରକ, ୧୧ ମୃତ - ଭୟଙ୍କର ସଡକ ଦୁର୍ଘଟଣା

ରାସ୍ତାକଡରେ ଛିଡା ହୋଇଥିବା ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର । ଅଧିକ ପଢନ୍ତୁ

Rajasthan Accident
Rajasthan Accident

By ETV Bharat Odisha Team

Published : Sep 13, 2023, 8:36 AM IST

Updated : Sep 13, 2023, 2:29 PM IST

ଜୟପୁର(ରାଜସ୍ଥାନ): ରାଜସ୍ଥାନ ଭରତପୁର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ରାସ୍ତାକଡରେ ଛିଡା ହୋଇଥିବା ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ । ଆଜି(ବୁଧବାର) ସକାଳେ ଜୟପୁର-ଆଗ୍ରା ଜାତୀୟ ରାଜପଥର ହନ୍ତରା ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆରବିଏମ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍‌ଟି ଗୁଜୁରାଟରୁ ଉତ୍ତର ପ୍ରଦେଶର ମଥୁରା ଅଭିମୁଖେ ଯାଉଥିଲା । ଏଥିରେ ୨୦ରୁ ଅଧିକ ଯାତ୍ରୀ ଥିଲେ । ସକାଳ ପ୍ରାୟ ୪ଟା ବେଳେ ବସର ଟାୟାର ଫାଟି ଯିବାରୁ ଏହା ଜୟପୁର-ଆଗ୍ରା ଜାତୀୟ ରାଜପଥ କଡରେ ଛିଡା ହୋଇଥିଲା । ଏତିକି ବେଳେ ଜୟପୁର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବସ୍‌କୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ୩୦ ମିଟର ଯାଏଁ ଘୋଷାଡି ହୋଇଯାଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଥିବା ଜଣାପଡିଛି । ସେମାନେ ଅନ୍ନୁ, ନନ୍ଦରାମ, ଲଲ୍ଲୁ, ଭରତ, ଲାଲ ଭାଇ, ଅମ୍ବାବେନ, କମ୍ମୁବେନ, ରାମୁବେନ, ମଧୁବେନ, ଅଞ୍ଜୁବେନ ଓ ମଧୁବେନ ବୋଲି ପରିଚୟ ମିଳିଛି ।

ଏହାମଧ୍ୟ ପଢନ୍ତୁ: Rajasthan: ଖାଟୁ ଶ୍ୟାମ ମନ୍ଦିରରୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା 6 ଜୀବନ

ଭରତପୁର ଏସପି ମ୍ରିଦୁଲ କଚୱା କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ବସ୍ ଗୁଜୁରାଟ ଭାବନଗରରୁ ଯାତ୍ରୀଙ୍କୁ ନେଇ ମଥୁରା ବୃନ୍ଦାବନ ଯାଉଥିଲା । ଆଜି ସକାଳ ପ୍ରାୟ ୪ଟା ବେଳେ ଜୟପୁର-ଆଗ୍ରା ଜାତୀୟ ରାଜପଥର ହନ୍ତରା ନିକଟରେ ବସ୍ ଟାୟାର ଫାଟି ଯାଇଥିଲା । ଫଳରେ ଡ୍ରାଇଭର ଗାଡିକୁ ରାସ୍ତାକଡରେ ଛିଡା କରି ମରାମତି କାମ କରୁଥିଲେ । ଏହି ସମୟରେ କିଛି ଯାତ୍ରୀ ବସ୍‌ ଭିତରେ ବସି ଥିବାବେଳେ ଆଉ କିଛି ବାହାରକୁ ଆସି ଛିଡା ହୋଇଥିଲେ । ଠିକ୍ ଏତିକି ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ପଛ ପଟୁ ବସକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଭରତପୁରରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତକଙ୍କ ପରିବାରବର୍ଗକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

Last Updated : Sep 13, 2023, 2:29 PM IST

ABOUT THE AUTHOR

...view details