ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ଅଘଟଣ । ଯାତ୍ରୀଙ୍କ ଉପରେ ମାଡି ଗଲା କୋଣାର୍କ ଏକ୍ସପ୍ରେସ । ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ କଟି ୫ ଜଣଙ୍କ ମୃତ୍ୟୁ ଘଟିଛି । ସୋମବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ଯାହା ସୂଚନା ରହିଛି, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗୌହାଟୀ ସୁପରଫାଷ୍ଟ ଏକ୍ସପ୍ରେସ ଶ୍ରୀକାକୁଲମ ବଥୁଆ(Bathua) ନିକଟରେ ଅଟକି ଯାଇଥିଲା । ଟ୍ରେନ ରହିବା ଯୋଗୁଁ କିଛି ଯାତ୍ରୀ ଏଥିରୁ ଓହ୍ଲାଇ ଟ୍ରାକ୍ ପାର୍ ହେବାକୁ ଉଦ୍ୟମ କରୁଥିଲେ । ଠିକ୍ ସେହି ସମୟରେ ବିପରୀତ ଦିଗରୁ କୋଣାର୍କ ଏକ୍ସପ୍ରେସଟି ମାଡି ଆସି ୫ ଜଣ ଯାତ୍ରୀଙ୍କୁ ଧକ୍କା ଦେଇଥିଲା ।
ମୃତକଙ୍କ ମଧ୍ୟରେ ଦୁଇ ଜଣଙ୍କ ପରିଚୟ ମିଳିଛି । ଜଣେ ଆସାମର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଓଡିଶାର ବ୍ରହ୍ମପୁର ଅଞ୍ଚଳର ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଶ୍ରୀକାକୁଲମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀକାକୁଲମ ପୋଲିସ ସୁପରିଟେଣ୍ଡଣ୍ଟଙ୍କ(Superintendent of police) ସୂଚନା ଅନୁଯାୟୀ, କେହି ଜଣେ ଗୌହାଟୀ ଏକ୍ସପ୍ରେସ ଚେନ୍ ଟାଣିବା ଯୋଗୁଁ ଟ୍ରେନଟି ଅଟକି ଯାଇଥିଲା । ଟ୍ରେନରୁ ୫ ଜଣ ଯାତ୍ରୀ ଓହ୍ଲାଇ ଟ୍ରାକ୍ ପାର ହେବାବେଳେ ବିପରୀତ ଦିଗରୁ ଆସୁଥିବା କୌଣାର୍କ ଏକ୍ସପ୍ରେସରେ କଟି ଯାଇଥିଲେ । ସମସ୍ତ ମୃତକଙ୍କ ମୃତଦେହ ଏବେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।