ଓଡିଶା

odisha

ETV Bharat / bharat

Manipur Horror: ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ଭିଡିଓ ଭାଇରାଲ - ମଣିପୁର ହିଂସା

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ପରେ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ମଣିପୁର ହିଂସା
ମଣିପୁର ହିଂସା

By

Published : Jul 20, 2023, 10:12 AM IST

Updated : Jul 20, 2023, 10:32 AM IST

ଇମ୍ଫାଲ: ଅଶାନ୍ତ ମଣିପୁରରେ ସୀମା ଲଙ୍ଘିଲା ବର୍ବରତା । ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ । ଗତକାଲି(ବୁଧବାର) ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଦୁଇ ମହିଳା କୁକି ସମ୍ପ୍ରଦାୟର । ମେଇତି ସମ୍ପ୍ରଦାୟର କିଛି ଲୋକ ସେମାନଙ୍କୁ ଯୌନ ଉତ୍ପୀଡନ ଦେବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ଏହାପରେ ଧାନ ବିଲକୁ ନେଇ ଗଣଦୁଷ୍କର୍ମ କରିଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମେ' ୪ ତାରିଖରେ ଘଟିଥିଲା । ପୁରା ଘଟଣା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ ।

ଏହି ପାଶବିକତାର ଭିଡିଓର ଭାଇରାଲ ହେବାପରେ ପ୍ରତ୍ୟେକ ମହଲରେ ଦୃଢ ନିନ୍ଦା କରାଯାଇଛି । ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲଏଫ) ଅଭିଯୋଗ କରିଛି ଯେ, ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ବୁଲାଇବା ପରେ କ୍ଷେତକୁ ନିଆଯାଇ ଗଣଦୁଷ୍କର୍ମ କରାଯାଇଛି । ଏଭଳି ଘୃଣ୍ୟ ତଥା ଜଘନ୍ୟ କାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଟିଏଲଏଫ ଦାବି କରିଛନ୍ତି । ସେହିପରି ଭାଇରାଲ ଭିଡିଓ ରାଜନୈତିକ ମହଲରେ ମଧ୍ୟ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଭିଡିଓ ସାମ୍ନାକୁ ଆସିବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ସହ କଥା ହୋଇଛନ୍ତି ।

ମଣିପୁରର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ମେ' ୪ ତାରିଖରେ ଥୌବଲ ଜିଲ୍ଲାରେ ଏହି ପାଶବିକ କାଣ୍ଡ ଘଟିଥିଲା । ଏନେଇ ମେ' ୧୮ରେ କାଙ୍ଗପୋକପି ଜିଲ୍ଲାରେ ଏଫଆଇଆର ରୁଜୁ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ଗଣଦୁଷ୍କର୍ମ, ହତ୍ୟା ମାମଲା ରୁଜୁ କରାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନି । ରାଜ୍ୟ ପୋଲିସ ସେମାନଙ୍କୁ ଗିରଫ କରିବାକୁ ସବୁପ୍ରକାର ଚେଷ୍ଟା କରୁଥିବା ବୁଧବାର ମଣିପୁର ପୋଲିସ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Manipur violence: ଅପଡେଟେଡ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଭାଇରାଲ ହେଉଛି ଭିଡିଓ: ଭିଡିଓରେ ଦେଖାଯାଉଛି, ଦୁଇ ମହିଳାଙ୍କୁ(ପୋଲିସ ରେକର୍ଡ ଅନୁସାରେ ବୟସ ୪୦ ଓ ୨୦ ବର୍ଷ) ପୁରୁଷଙ୍କ ଏକ ଉଗ୍ର ଭିଡ ଉଲଗ୍ନ ଅବସ୍ଥାରେ ରାସ୍ତା ଉପରେ ଚଲାଇ ଚଲାଇ ଧାନ ବିଲ ଆଡକୁ ନେଉଛନ୍ତି । ପୀଡିତା ଦୁହେଁ କନ୍ଦାକଟା କରିବା ସହ ଛାଡି ଦେବାକୁ ଅନୁରୋଧ କରୁଛନ୍ତି । ହେଲେ କିଛି ଲୋକ ତାଙ୍କ ସହ ଅସଦାଚରଣ କରୁଛନ୍ତି । ଏଫଆଇଆର ଅନୁସାରେ, ଦୁଇ ମହିଳା କୁକି-ଜୋମି ସମ୍ପ୍ରଦାୟର ଏବଂ କାଙ୍ଗପୋକପି ନିବାସୀ ଅଟନ୍ତି । ମେଇତି ବହୁଳ ଜିଲ୍ଲା ଥୌବଲରେ ସେମାନଙ୍କ ସହ ଏଭଳି ପାଶବିକତା ଘଟିଛି ।

ଉଲଗ୍ନ କରି ବୁଲାଇବା ପରେ ଗଣଦୁଷ୍କର୍ମ: ପୀଡିତା କହିଛନ୍ତି ଯେ, ମେ' ୩ରେ ତାଙ୍କ ଗାଁରେ ହିଂସା ସୃଷ୍ଟି ହୋଇଥିଲା । ଏହି ସମୟରେ ୮୦୦ରୁ ୧୦୦୦ ଲୋକେ ମାରଣାସ୍ତ୍ର ଧରି ଗାଁରେ ପଶିଥିଲେ । ଲୋକଙ୍କୁ ଆକ୍ରମଣ କରିବା ସହ ଲୁଟପାଟ ଓ ପୋଡାଜଳା କରିଥିଲେ । ଆକ୍ରମଣ ପରେ ତାଙ୍କ ପରିବାରର ୫ ଜଣ ସଦସ୍ୟ (୩ ମହିଳା, ୨ ପୁରୁଷ) ଭୟରେ ଜଙ୍ଗଲ ଆଡକୁ ପଳାଇ ଯାଇଥିଲେ । ହେଲେ ବାଟରେ ଏକ ଉଗ୍ର ଭିଡ ସେମାନଙ୍କୁ ଅଟକାଇଥିଲା । ଦୁର୍ବୃତ୍ତମାନେ ପ୍ରଥମେ ୨୦ ବର୍ଷୀୟା ଯୁବତୀଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ଜୋରଜବରଦସ୍ତ ମହିଳାମାନଙ୍କ ପୋଷାକ ଖୋଲି ଉଲଗ୍ନ ଅବସ୍ଥାରେ ବିଲ ଆଡକୁ ଟାଣି ଟାଣି ନେଇଥିଲେ । ସେଠାରେ ପ୍ରଥମେ ସବୁଠୁ ଛୋଟ ୨୦ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାକୁ ବିରୋଧ କରିବାରୁ ପୀଡିତାଙ୍କ ନାବାଳକ ଭାଇକୁ ହତ୍ୟା କରିଦେଇଥିଲେ । ମିଡିଆ ରିପୋର୍ଟ ଅନୁସାରେ, ତିନି ଜଣ ମହିଳା ପରେ ଦୁର୍ବୃତ୍ତଙ୍କ ପାଖରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ଆଦିବାସୀ ସଂଗଠନ ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ କେନ୍ଦ୍ର, ରାଜ୍ୟ ସରକାର, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଓ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଅପରାଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦୁଇ ମହିଳାଙ୍କ ସହ ଯୌନ ଉତ୍ପୀଡନକୁ ଅମାନବୀୟ କହି ନିନ୍ଦା କରିଛନ୍ତି । ଅପରାଧିଙ୍କୁ ଦଣ୍ଡ ଦେବାରେ କୌଣସି ପ୍ରକାର ଅବହେଳା କରାଯିବନି ବୋଲି ଆଶ୍ବସନା ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟ୍ବିଟ୍ କରି ଏହାକୁ କଡା ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2023, 10:32 AM IST

ABOUT THE AUTHOR

...view details