ହାଇଦ୍ରାବାଦ: ମଣିପୁର ହିଂସାର ଏକ ବର୍ବରତା ଓ ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଆଜି ହିଂସାର ସୂତ୍ରପାତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ସାମାଜିକ କର୍ମୀମାନେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଏକାଠି ହୋଇଛନ୍ତି । ସେମାନେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ପୀଡିତା ପରିବାରକୁ ନ୍ୟାୟ ଦେବା ପାଇଁ ନାରାବାଜି କରିଛନ୍ତି ।
ଏହି ଘଟଣାରେ ଅଭିଯୁକ୍ତଙ୍କ ଏକ ଗୋଷ୍ଠୀ ସାମିଲ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ମାତ୍ର ଅଭିଯୁକ୍ତର ଗିରଫଦାରୀ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଗିରଫ କରିବାର ପ୍ରୟାସ ଜାରି ରହିଥିବା ପୋଲିସ କହିଛି । ମୁଖ୍ୟମନ୍ତ୍ରୀ ବିରେନ ସିଂ ମଧ୍ୟ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁଦଣ୍ଡ ପାଇଁ ସରକାର ସମସ୍ତ ପ୍ରୟାସ କରିବେ ବୋଲି କହିସାରିଛନ୍ତି । ହେଲେ ଏପରି ଚରମ ବର୍ବରତାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । ମଣିପୁର ସମେତ ରାଜଧାନୀ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏହି ବର୍ବର କାଣ୍ଡକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି ।
ଏହି ଘଟଣାରେ ହରିୟାଣାରେ ଆଜି କଂଗ୍ରେସ ମଧ୍ୟ ପ୍ରତିବାଦ କରିଛି । ହଜାର ହଜାର କଂଗ୍ରେସ କର୍ମୀ ହାତରେ ତ୍ରିରଙ୍ଗା ଧରି ପ୍ରତିବାଦ କରିବା ସହ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ରଣଦ୍ବୀପ ସୂର୍ୟେଓ୍ବାଲା ଓ କୁମାରୀ ସେଲଜାଙ୍କ ସମେତ ଅନ୍ୟ କିଛି କଂଗ୍ରେସ ନେତାଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି ।