ଇମ୍ଫାଲ:ଅଶାନ୍ତ ମଣିପୁରରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେଉଛି । ହିଂସା ପ୍ରଭାବିତ କାଙ୍ଗପୋକପି ଏବଂ ମୋହରେ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି ଓ ସ୍ଥିର ରହିଛି । ଇମ୍ଫାଲ ଓ ଚୁରାଚାନ୍ଦପୁର ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବାହାର ରାଜ୍ୟରୁ ସେନାକୁ ମଣିପୁର ପଠାଯାଉଛି । ନାଗାଲାଣ୍ଡରୁ ଅତିରିକ୍ତ ସେନାଙ୍କୁ ଏଠାରେ ପୁନଃ ନିୟୋଜିତ କରାଯାଇଛି । ହିଂସା ନିୟନ୍ତ୍ରଣ ପାଇଁ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଉଥିବା ନେଇ ସେନା ଅଧିକାରୀ ଜଣାଇଛନ୍ତି ।
ସୂଚନା ଅନୁସାରେ, ମଣିପୁରରେ ଅତିରିକ୍ତ ସେନା ମୁତୟନ କରାଯାଉଛି । ଏହି କ୍ରମରେ ଆଜି ରାତିରେ ଗୌହାଟୀ ଓ ତେଜପୁରରୁ ଯବାନଙ୍କୁ ନେଇ ବାୟୁସେନାର ଏକ ବିମାନ ମଣିପୁର ଅଭିମୁଖେ ଉଡାଣ ଭରିବାର ଅଛି । ବର୍ତ୍ତମାନ ଏହି ହିଂସା ପ୍ରଭାବିତ ରାଜ୍ୟରେ ସେନା ଓ ପାରା ମିଲିଟାରୀ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି । ସେନା ହିଂସାଗ୍ରସ୍ତ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରୁଛି । ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଫଳସୂରୁପ ବିଭିନ୍ନ ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଏଥିସହ ହିଂସାକାଣ୍ଡ ଓ ସୁରକ୍ଷା ସ୍ଥିତିକୁ ନେଇ ଇଣ୍ଟରନେଟରେ ଅନେକ ଫେକ୍ ଭିଡିଓ ଭାଇରାଲ ହେଉଥିବାରୁ ଏଥିପ୍ରତି ଯତ୍ନବାନ ରହିବାକୁ ସେନା ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି ।