ଆଇଜୋଲ:ମଣିପୁର ହିଂସାର ପ୍ରଭାବ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ଅନୁଭୂତ ହେବାରେ ଲାଗିଲାଣି । ମଣିପୁରର ପଡୋଶୀ ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟର ଅଧିବାସୀଙ୍କ ମଧ୍ୟରେ ହିଂସାକୁ ନେଇ ଭୟ ଦେଖାଯାଇଛି । ଅନ୍ୟପଟେ ପଡୋଶୀ ରାଜ୍ୟରେ ଥିବା ମୈତେଇମାନଙ୍କୁ ମଣିପୁର ଫେରିବା ପାଇଁ ମିଜୋରାମର ଏକ ମୈତେଇ ଉଗ୍ରବାଦୀ ସଂଗଠନ ଡାକରା ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଫଳରେ ଦକ୍ଷିଣ ଆସାମ ଏବଂ ମଣିପୁରରୁ ଯାଇ ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟ ପଳାୟନ ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେବା ପରେ ଗତକାଲି(ରବିବାର) ଏ ସମ୍ପର୍କରେ ରାଜ୍ୟ ସରକାର ଏକ ବୈଠକ କରିଛନ୍ତି । ମିଜୋରାମରେ ଥିବା ମୈତେଇ ସମ୍ପ୍ରଦାୟର ଲୋକେ ରାଜ୍ୟ ଛାଡି ଯାଆନ୍ତୁ ନାହିଁ । ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ଆଶ୍ବସନା ଦେଇ ମିଜୋରାମ ସରକାର ।
ମିଜୋରାମରେ ଥିବା ଏକ ମୈତେଇ ଉଗ୍ରବାଦୀ ସଂଗଠନ ସମସ୍ତ ମୈତେଇଙ୍କୁ ନିଜ ସୁରକ୍ଷାରେ ମିଜୋରାମ ଛାଡିବାକୁ ଶୁକ୍ରବାର ଏକ ଗାଇଡଲାଇନ ଜାରି କରିଥିଲା । ମଣିପୁରରେ ଦୁଇ କୁକି ମହିଳାଙ୍କ ସହ ହୋଇଥିବା ବର୍ବରତାର ଫଳସ୍ବରୂପ ମିଜୋ ସମ୍ପ୍ରଦାୟ ମଧ୍ୟରେ ସେମାନଙ୍କ ପ୍ରତି କ୍ରୋଧ ରହିଥିବା ଆଶଙ୍କା ଦର୍ଶାଇଥିଲା ଏହି ଉଗ୍ରବାଦୀ ସଂଗଠନ । ତେବେ ମିଜୋରାମରେ ଏହି ଖବର ପ୍ରସାରିତ ହେବା ପରେ ପଡୋଶୀ ରାଜ୍ୟର ମୈତେଇ ସମ୍ପ୍ରଦାୟ ବାସିନ୍ଦା ରାଜ୍ୟ ଛାଡିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଜୋରାମ ସରକାର ନିକଟରେ ତଥ୍ୟ ପହଞ୍ଚିବା ପରେ ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଇଛି ।