ନୂଆଦିଲ୍ଲୀ:ମଣିପୁରରେ ହୋଇଥିବା ହିଂସାର ଆଂଶିକ ପ୍ରଭାବ ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟ ପଡିଛି । ମଣିପୁରରେ ଦୁଇ ସମ୍ପ୍ରଦାୟ ମୁଁହାମୁଁହି ହୋଇଥିବା ବେଳେ କ୍ୟାମ୍ପସରେ ମଧ୍ୟ ଉଭୟ ସମ୍ପ୍ରଦାୟର ଛାତ୍ରାଛାତ୍ରୀ ମୁଁହାମୁଁହି ହୋଇଛନ୍ତି । ଦିଲ୍ଲୀ ବିଶ୍ବବିଦ୍ୟାଳୟ ନର୍ଥ-କ୍ୟାମ୍ପସରେ ରହୁଥିବା କିଛି ମଣିପୁରୀ-କୁକି ସମ୍ପ୍ରଦାୟ ଛାତ୍ରଛାତ୍ରୀ ମୈତେଇ ସମ୍ପ୍ରଦାୟର ଛାତ୍ରଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଗୁରୁବାର ରାତିରେ ଏହି ଆକ୍ରମଣ ହୋଇଥିବା ଗୋଟିଏ ଛାତ୍ରଗୋଷ୍ଠୀ ଅଭିଯୋଗ କରିଛି ।
ଗତକାଲି (ଶୁକ୍ରବାର) କୁକି ସମ୍ପ୍ରଦାୟର ଛାତ୍ରଛାତ୍ରୀ, ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ସହ ମୌରେସି ନଗର ଥାନାରେ ପହଞ୍ଚିଥିଲେ । ହେଲେ ପୋଲିସ ସେଠାରେ ସେମାନଙ୍କ ଏତଲା ଗ୍ରହଣ ନକରିବାରୁ ସେମାନେ କିଛି ସମୟ ଧାରଣାରେ ବସିଥିଲେ । ସେମାନେ ପୋଲିସ ଓ ମୈତେଇ ସମ୍ପ୍ରଦାୟ ବିରୋଧରେ ନାରାବାଜୀ ମଧ୍ୟ କରିଥିଲେ । ଏବେ ଏହାର ସମାଧାନ ହୋଇସାରିଛି । କିଛି ଛାତ୍ରଙ୍କୁ ଅଟକ ରଖାଯାଇଥିବା ମଧ୍ୟ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେହିପରି କ୍ୟାମ୍ପସରେ ମଧ୍ୟ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ସାମାନ୍ୟ ମାତ୍ରାରେ ପୋଲିସ ମୁତୟନ କରାଯାଇଛି ।