ଇମ୍ଫାଲ: ମଣିପୁରରେ ପୁଣି ଗଡିଲା ମୁଣ୍ଡ । ଜଣେ ପୋଲିସ ଅଧିକାରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଟେଙ୍ଗନୁଓପାଲ ଜିଲ୍ଲାର ମୋରେହ ଏରିଆରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ଅଧିକାରୀ ସ୍ଥାନୀୟ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ଚିଙ୍ଗଥାମ ଆନନ୍ଦ ବୋଲି ଜଣାପଡିଛି । ଏହି ଅଧିକାରୀଜଣକ ନୂତନ ଭାବେ ପ୍ରସ୍ତୁତ ହେଉଥିବା ହେଲିପ୍ୟାଡ ସୁରକ୍ଷାରେ ନିୟୋଜିତ ହୋଇଥିଲା ବେଳେ ଅଜଣା ଆତଙ୍କବାଦୀ ତାଙ୍କୁ ଗୁଳି କରିଥିଲେ । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁସାରେ, ମୋରେହର ଏକ ସ୍କୁଲ ଗ୍ରାଉଣ୍ଡରେ ନୂତନ ଭାବେ ନିର୍ମାଣ କରାଯାଉଥିବା ହ୍ୟାଲିପ୍ୟାଡର ସୁରକ୍ଷା ଦାୟିତ୍ବ ତଦାରଖ କରିବା ପାଇଁ ଏହି ଅଧିକାରୀଜଣକ ପହଞ୍ଚିଥିଲେ । କେନ୍ଦ୍ରୀୟ ସୁରକ୍ଷାବଳ ମୋବିଲିଟି ପାଇଁ ବିଏସଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ନୂଆ ହ୍ୟାଲିପ୍ଯାଡ ନିର୍ମାଣ କରାଯାଉଥିଲା । ତେବେ ଆଜି ପୂର୍ବାହ୍ନରେ ତାଙ୍କୁ ଗୁଳିମାଡ କରାଯାଇଥିଲା । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବଢ୍ଚାଇବା ସମ୍ଭବପର ହୋଇନଥିଲା । ଉକ୍ତ ଅଞ୍ଚଳଟି ଆଦିବାସୀ କୁକି ସମ୍ପ୍ରଦାୟ ବହୁଳ ଓ ଏଠାରେ କୁକି ସମ୍ପ୍ରଦାୟର ଆତଙ୍କୀଙ୍କ ଗତିବିଧି ମଧ୍ୟ ସକ୍ରିୟ ରହିଛି । ତେଣୁ କୁକି ସମ୍ପ୍ରଦାୟ ଆତଙ୍କୀ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପ୍ରାଥମିକ ଭାବେ ତଦନ୍ତ କରାଯାଉଛି ।
ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି । ବିରେନ ସିଂ ସରକାର ଏହି ମୃତ ଅଧିକାରୀଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅଧିକାରୀ ଚିଙ୍ଗଥାମ ଆନନ୍ଦ ଇମ୍ଫାଲ ରାଓବାମ ମାରକ ଅଞ୍ଚଳର ବାସିନ୍ଦା ଥିଲେ । ମେ’ 3 ତାରିଖରେ ଜାତିଗତ ସଂରକ୍ଷଣ ବିବାଦରୁ ମଣିପୁରରେ ଆରମ୍ଭହୋଇଥିବା ହିଂସାରେ ଏପର୍ଯ୍ୟନ୍ତ 180 ଲୋକଙ୍କ ମୃତ୍ୟୁ ହୋଇଛି ।