ନୂଆଦିଲ୍ଲୀ:ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଦେଖାଯାଇଥିବା ସାମ୍ପ୍ରଦାୟିକ ହିଂସାର ନ୍ୟାୟିକ ତଦନ୍ତ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀଙ୍କ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ବଦଳି କରାଯାଇଛି । ଭାରତୀୟ ପୋଲିସ ସେବାର ତ୍ରିପୁରା କ୍ଯାଡର ଅଧିକାରୀ ରାଜୀବ ସିଂଙ୍କୁ ମଣିପୁର ନୂତନ ପୋଲିସ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଆଇପିଏସ ରାଜୀବ ସିଂ ଏବେ ସିଆରପିଏଫର ଆଇଜି ଭାବେ ଦାୟିତ୍ବରେ ରହିଛନ୍ତି । ସେ ତ୍ରିପୁରା କ୍ୟାଡର ଅଧିକାରୀ ହୋଇଥିଲେ ସୁଦ୍ଧା ଇଣ୍ଟର-କ୍ୟାଡର ଡେପୁଟେସନରେ ମଣିପୁର ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବେ ।
ସେହିପରି ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ପି.ଡଙ୍ଗେଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି । ସେ ଏବେ ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରିବେ । ତେବେ ଗତମାସ (ମେ’) ପ୍ରାରମ୍ଭରେ ରାଜ୍ୟରେ ଦେଖାଯାଇଥିବା ବ୍ୟାପକ ହିଂସାରେ ପୋଲିସର କାର୍ଯ୍ୟଶୈଳୀ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । କେନ୍ଦ୍ରୀୟ ଫୋର୍ସ ସହ ସେନା ମଧ୍ୟ ମୁତୟନ ହୋଇଥିଲ । 3 ଦିନ ଧରି ଲାଗି ରହିଥିବା ଦଙ୍ଗା ସ୍ଥିତିରେ ପ୍ରାୟ 80 ଲୋକ ପ୍ରାଣ ହରାଇବା ସହ ଅନେକ ସଂଖ୍ୟାରେ ବାସହରା ହୋଇପଡ଼ିଥିଲେ । ସଂରକ୍ଷଣ ବିବାଦକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏହି ହିଂସା ଦେଖବାକୁ ମିଳିଥିଲା ।
ଆଜି ପୂର୍ବାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ହିଂସାର ନ୍ୟାୟିକ ତଦନ୍ତ ହେବା ନେଇ ଘୋଷଣା କରିଥିଲେ । ମଣିପୁର ହାଇକୋର୍ଟର ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ପ୍ୟାନେଲ ଏହି ନ୍ୟାୟିକ ତଦନ୍ତ କରିବ । ଶାନ୍ତି କମିଟି ମଧ୍ୟ ଗଠନ କରାଯିବ, ଯାହା ରାଜ୍ୟପାଳଙ୍କ ପ୍ରତ୍ୟେକ୍ଷ ପର୍ଯ୍ୟବେକ୍ଷଣରେ ରହିବ । ସେହିପରି ଗଠନ ହେବାକୁ ଥିବା ଶାନ୍ତି କମିଟିରେ ଉଭୟ କୁକି ଓ ମୈତେଇ ସମ୍ପ୍ରଦାୟର ପ୍ରତିନିଧି ରହିବା ନେଇ ଶାହ କହିଥିଲେ ।