ଇମ୍ଫାଲ:ଦୀର୍ଘ ଦୁଇ ମାସ ପରେ ହିଂସା ପ୍ରଭାବିତ ମଣିପୁରରେ ଆଜି ଖୋଲିଛି ସରକାରୀ ସ୍କୁଲ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଆଜି ବିଦ୍ୟାଳୟ ଯାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲିଛି । ରାଜ୍ୟରେ ହିଂସା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସ୍କୁଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ବିରେନ ସିଂ ଘୋଷଣା କରିଥିଲେ । ଆଜିଠାରୁ ପାଠପଢା ଆରମ୍ଭ ହୋଇଛି । ତେବେ ବିଭିନ୍ନ ସ୍ଥାନରେ ଆଜି ବିଦ୍ୟାଳୟ ଯିବାକୁ ନେଇ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖାଯାଇଥିଲା ।
ପ୍ରଥମ ଦିନରେ ସ୍କୁଲରେ ମାହୋଲ କେମିତି ଥିଲା, କେତେ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, ସେନେଇ ରାଜ୍ୟ ଶିକ୍ଷା ବିଭାଗ ଏକ ସମୀକ୍ଷା ମଧ୍ୟ କରିଥିଲା । ବିଭାଗର ତଥ୍ୟ ଅନୁସାରେ, ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଥିଲା । ଉପସ୍ଥାନ ମଧ୍ୟ ବେଶ ଭଲ ରହିଥିଲା । ଆଜି ପ୍ରଥମ ଦିନ ହୋଇଥିବା ବେଳେ ଧିରେ ଧିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ପିଲାମାନେ ଦୀର୍ଘ 2 ମାସ ପରେ ସ୍କୁଲକୁ ଆସି ବେଶ ଖୁସି ମଧ୍ୟ ପ୍ରକାଶ କରିଛନ୍ତି ।
ତେବେ ସରକାରୀ ସୂତ୍ରରୁ ମଳିଥିବା ଅନ୍ୟ ଏକ ସୂଚନା ଅନୁସାରେ, ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ସୁଦ୍ଧା ମୋଟ 4,617 ଖୋଲଯାଇ ପାରିନାହିଁ । କାରଣ ରାଜ୍ୟରେ ହିଂସା ସ୍ଥିତିରେ ଏହି ସ୍କୁଲ ବିଲ୍ଡିଂଗୁଡିକୁ ଜରୁରୀକାଳୀନ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ଏହାକୁ ଏନେକ ସ୍ଥାନରେ ରିଲିଫ କ୍ୟାମ୍ପ ଭାବେ ସ୍ଥାନୀୟ ପ୍ରଶାସନ ବ୍ୟବହାର କରୁଛି । ସେଠାରେ ଏବେ ମଧ୍ୟ ହିଂସା ପ୍ରଭାବିତ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି । ସ୍ଥିତିରେ ସୁଧାର ଆସିବା ପରେ ଶରଣାର୍ଥୀ ଓ ପ୍ରଭାବିତଙ୍କୁ ସେମାନଙ୍କୁ ଘରକୁ ପଠାଯିବା ପରେ ଏହାକୁ ପୁନର୍ବାର ପାଠପଢା ପାଇଁ ବ୍ୟବହାର କାରଯିବା ନେଇ କୁହାଯାଇଛି ।