ଇମ୍ଫାଲ:ଉଭୟ କେନ୍ଦ୍ର-ରାଜ୍ୟର ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ମଣିପୁରେ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସୁନାହିଁ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାରମ୍ବାର ହିଂସା କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଗତକାଲି ଦୁଇ ଛାତ୍ରଙ୍କ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ପୁଣି ମଣିପୁରକୁ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି ।
ଏହାରି ମଧ୍ୟରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ଥିତିକୁ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ଲାଗୁ କରାଯିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ପାହାଡି ଏରିଆରେ ଅଧିକ ହିଂସାତ୍ମକ ଗିତିବିଧି ଦେଖାଯାଉଥିବାରୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ଏଠାରେ AFSPA ଲାଗୁ ପାଇଁ ବିରେନ ସିଂ ସରକାର ଆଜି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତାମାସ (ଅକ୍ଟୋବର) ପହିଲାରୁ ଏହା ଲାଗୁ ହୋଇ ଆସନ୍ତା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ପାହାଡି କ୍ଷେତ୍ରରେ ଏହି ସ୍ବତନ୍ତ୍ର ସାମରିକ ଆଇନ ଲାଗୁ କରାଯାଇଥିବା ବେଳେ ଉପତ୍ୟକା (ଭ୍ୟାଲି)ର 19ଟି ଥାନା କ୍ଷେତ୍ରକୁ ଏଥିରୁ ବାଦ ଦିଆଯାଇଛି । ଦୀର୍ଘ ଦିନ ଧରି ହିଂସା ନିୟନ୍ତ୍ରଣକୁ ନଆସିବା ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିରେନଙ୍କୁ କେନ୍ଦ୍ର ସରକାର ବରଖାସ୍ତ କରନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରର ବିଜେପି ସରକାର ଉପରେ ଟ୍ବିଟ କରି ବର୍ଷିଛନ୍ତି ।