ଇମ୍ଫାଲ: ମଣିପୁର ରାଜ୍ୟପାଳ ଅନସୂୟା ୟୁକେ ଆଜି (ଶନିବାର) ମଣିପୁରର ଏକାଧିକ ହିଂସା ପ୍ରଭାବିତ ସ୍ଥାନ ଓ ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେ ଆଜି ହିଂସାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ କିଛି ରିଲିଫ କ୍ୟାମ୍ପ ପରିଦର୍ଶନ କରିବା ସହ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ରାଜ୍ୟପାଳ ଭାଇରାଲ ଭିଡିଓରେ ନିର୍ଯାତନାର ଶିକାର ହୋଇଥିବା ଦୁଇ ମହିଳାଙ୍କ ପରିବାର ସଦସ୍ୟଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଚେକ ପ୍ରଦାନ କରିଛନ୍ତି ରାଜ୍ୟପାଳ ।
ରାଜଧାନୀ ଇମ୍ଫାଲରୁ 36 ଆସାମ ରାଇଫଲ୍ସ ହେଲିପ୍ୟାଡରେ ଅବତରଣ କରିବା ପରେ ରାଜ୍ୟପାଳ ୟୁକେ ସେଣ୍ଟ ପାଉଲ ଇନଷ୍ଟିଚ୍ୟୁଟ ରିଲିଫ କ୍ୟାମ୍ପ ଗସ୍ତ କରିଥିଲେ । ପରେ ରେଙ୍ଗକାଇରେ ଥିବା ୟଙ୍ଗ ଲର୍ଣ୍ଣର୍ସ ସ୍କୁଲକୁ ମଧ୍ୟ ଯାଇଥିଲେ ରାଜ୍ୟପାଳ । ସେଠାରେ ରିଲିଫ କ୍ୟାମ୍ପଗୁଡିକରେ ମିଳୁଥିବା ସୁବିଧା ଯାଞ୍ଚ କରିଥିଲେ । ହିଂସା ପ୍ରଭାବିତଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେଠାରେ ଥିବା କୋମଳମତି ପିଲାଙ୍କୁ ସ୍ୱଚ୍ଛତା କିଟ୍, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ ।
ଆଇନକୁ ନିଜ ହାତକୁ ନ ନେବାକୁ ଏବଂ ବେଆଇନ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ରାଜ୍ୟପାଳ ସ୍ଥାନୀୟ ଯୁବକମାନଙ୍କୁ ନିବେଦନ କରିଛନ୍ତି । ରାଜ୍ୟପାଳ ଅନସୂୟା ୟୁକେ କହିଛନ୍ତି, ହିଂସା ପ୍ରଭାବିତ ଲୋକଙ୍କୁ ଶାନ୍ତ୍ୱନା, ସହାନୁଭୂତି ଏବଂ ସେମାନଙ୍କ ପ୍ରତି ସମର୍ଥନ ବଢାଇବା ପାଇଁ ସେ ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଥିବା କହିବା ସହ ହିଂସାରେ ପ୍ରଭାବିତ ଲୋକଙ୍କୁ ସରକାର କ୍ଷତିପୂରଣ ଦେବେ ବୋଲି ମଧ୍ୟ ସେ କହିଛନ୍ତି ।