ଇମ୍ଫାଲ: ଆଜି ମଣିପୁର ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏହା କେବଳ ମଣିପୁରରେ ନୁହେଁ ବରଂ ସମଗ୍ର ଉତ୍ତର ପୂର୍ବରେ ପ୍ରଭାବ ପକାଇବ । ଏହି ଫଳାଫଳ ଉତ୍ତର ପୂର୍ବ ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନକୁ ପ୍ରଭାବିତ କରିବା ସହ ସେହି ଅଞ୍ଚଳରେ ବିଜେପିର କ୍ଷମତା ହାତେଇବାର ସମ୍ଭାବନାକୁ ସ୍ପଷ୍ଟ କରିବ ବୋଲି ରାଜନୀତି ବିଷାରଦମାନେ ମତ ଦେଇଛନ୍ତି ।
2016 ମସିହାରେ ପ୍ରଥମେ ଆଞ୍ଚଳିକ ଦଳ ସହାୟତାରେ ଆସାମରେ ବିଜେପି କ୍ଷମତାକୁ ଆସିଥିଲା ଏବଂ 2021 ମସିହାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତା ବଜାୟ ରଖିଥିଲା । ସେହିପରି ପୁନର୍ବାର ଆଞ୍ଚଳିକ ଦଳମାନଙ୍କ ସମର୍ଥନରେ ମଣିପୁର, ତ୍ରିପୁରା ଓ ଅରୁଣାଞ୍ଚଳ ପ୍ରଦେଶରେ ମଧ୍ୟ ଯଥାକ୍ରମେ ୨୦୧୭, ୨୦୧୮ ଓ ୨୦୧୯ ରେ କ୍ଷମତା ହାତେଇବାରେ ସଫଳ ହୋଇଥିଲା ବିଜେପି ।
ପାଞ୍ଚ ବର୍ଷ ତଳେ ମଣିପୁର ସମେତ କେତେକ ଉତ୍ତର ପୂର୍ବ ରାଜ୍ୟରେ ଆଞ୍ଚଳିକ ଦଳ ସହ ବିଜେପିର ମିଳିତ ମଞ୍ଚ ସମ୍ପର୍କର କିଛି ତିକ୍ତତା ମଧ୍ୟ ସୃଷ୍ଟି ହୋଇଛି । ଅନୁଷ୍ଠିତ ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ଠାରୁ ଅଲଗା ହେବା ସହ ସ୍ବାଧୀନ ପ୍ରାର୍ଥୀ ଦେଇଛି । NPP ଏବଂ NPF କେବଳ ବିଜେପି ବିରୋଧରେ ପ୍ରାର୍ଥୀ ଦେଇନାହାଁନ୍ତି ବରଂ ଅନେକ ବିଦ୍ରୋହୀ ବିଜେପି ବିଧାୟକଙ୍କୁ ମଧ୍ୟ ନିର୍ବାଚନ ଲଢିବାରେ ସହଯୋଗ କରିଛନ୍ତି । ଯାହା ବିଜେପିର ଭୋଟବ୍ୟାଙ୍କକୁ ପ୍ରଭାବିତ କରିବା ପରି ଆଶଙ୍କାକୁ ଘନୀଭୂତ କରିଛି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ଦୁଇଥର ପ୍ରଚାର କରିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିର୍ବାଚନ ପୂର୍ବରୁ ଦୁଇଥର ରାଜ୍ୟ ଗସ୍ତ କରିଛନ୍ତି। ମଣିପୁରରେ ସମାବେଶକୁ ସମ୍ବୋଧିତ କରିବା ପାଇଁ ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସାମିଲ କରାଯାଇଥିଲା । ଅନ୍ୟପଟେ ରାଜ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଜୟରାମ ରମେଶଙ୍କ ପରି ଭେଟେରାନ କଂଗ୍ରେସର ଅଭିଯାନର ଦାୟିତ୍ବ ନେଇଥିଲେ ।