ଇମ୍ଫାଲ:ମଣିପୁରରେ 12ଜଣ ଗିରଫ ଉଗ୍ରବାଦୀଙ୍କୁ ସେନା ଠାରୁ ଛଡାଇ ନେଇଛନ୍ତି ଉତ୍ୟକ୍ତ ସ୍ଥାନୀୟ ଗ୍ରାମବାସୀ । ମଣିପୁରର ପୂର୍ବ-ଇମ୍ଫାଲ ଜିଲ୍ଲାର ଇଥାନ ଓ ଆଖପାଖ ଏରିଆରୁ ସେନା ଏହି 12ଜଣ ଉଗ୍ରବାଦୀଙ୍କୁ ଗିରଫ କରିଥିଲା । ଏକଥା ଜଣାପଡିବା ପରେ ମହିଳାଙ୍କ ନେତୃତ୍ବରେ ସ୍ଥାନୀୟ ଗ୍ରାମବାସୀ ଶହ ଶହ ସଂଖ୍ୟାରେ ଏକାଠି ହୋଇ ସେନାକୁ ବିରୋଧ କରିବା ସହ ଉଗ୍ରବାଦୀଙ୍କୁ ଛଡାଇ ନେଇଥିବା ଜଣାପଡିଛି । ଏହି ଉତ୍ୟକ୍ତ ଭିଡର ନେତୃତ୍ବ ନେଇଥିଲେ ମହିଳା । ସେନା କାର୍ଯ୍ୟାନୁଷ୍ଠାନରୁୁ ବର୍ତ୍ତିବା ପାଇଁ ସ୍ଥାନୀୟ ନେତାମାନେ ମହିଳାଙ୍କୁ ଢାଲ ପରି ବ୍ୟବହାର କରି ଏପରି କରିବାରେ ସଫଳ ହୋଇଛନ୍ତି ।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଣିପୁରରୁ ଇଥାନ ଏରିଆରୁ ସେନା 12ଜଣ ସଶସ୍ତ୍ର ଉଗ୍ରବାଦୀଙ୍କୁ ଗିରଫ କରିଥିଲା । ଏକଥା ପ୍ରଘଟ ହେବା ମାତ୍ରେ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ସେନାକୁ ପ୍ରବଳ ବିରୋଧ କରିଥିଲେ । ଗିରଫ ଉଗ୍ରବାଦୀଙ୍କୁ ମୁକ୍ତ କରିବା ଲାଗି ଚାପ ପକାଇବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ପ୍ରାୟ 12 ଶହରୁ 15 ଶହ ଗ୍ରାମବାସୀ ସେନା ଯବାନଙ୍କୁ କିଛି ଘଣ୍ଟା ଘେରାଉ କରି ରଖିଥିଲେ । ଏହି ଘେରାଉର ନେତୃତ୍ବ ମହିଳାମାନେ ନେଇଥିଲେ । ସେନାର ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ସେମାନେ ଆକ୍ରମଣାତ୍ମକ ହୋଇପଡିବା ସହ ପରିସ୍ଥିତି ଅଧିକ ଜଟିଳ ହେବାକୁ ଲାଗିଥିଲା । ସେନା ଉପରେ ଆକ୍ରମଣ ଉଦ୍ୟମ ମଧ୍ୟ କରିଥିଲେ ଏହି ଉତ୍ୟକ୍ତ ଗ୍ରାମବାସୀ । ସେନା ମଧ୍ୟ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚିତ ମନେ କରିନଥିଲା । ଫଳରେ 12 ଉଗ୍ରବାଦୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେବାକୁ ପଡିଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି ।