ଇମ୍ଫାଲ:ମଣିପୁର ହିଂସା ପ୍ରସଙ୍ଗରେ ସଂସଦଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଉଦବେଗ ପ୍ରକାଶ ପାଇବା ସହ ହଂସା ରୋକିବା ଓ ଶାନ୍ତି ଫେରାଇବା ପାଇଁ ତମାମ ପ୍ରୟାସ କରାଯାଉଛି । ହେଲେ ଆଜି ମଣିପୁରର ବିଷ୍ଣୁପୁରରେ ନୂଆ ହିଂସା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକ ଓ ସେନା ମଧ୍ୟରେ ସଂଘର୍ଷରେ 17ଜଣ ଆହତ ହୋଇଥିବା ସୂଚନା ମିଳିଛି । ହିଂସା ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପୋଲିସ, ପାରା ମିଲିଟାରୀ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ପହଞ୍ଚି ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।
ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ଫୋର୍ସକୁ ଲୁହବୁହା ଗ୍ୟାସ୍ ମାଡ଼ କରିବାକୁ ପଡ଼ିଛି । ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ମଧ୍ୟ ସୂଚନା ମିଳିଛି । ବିଷ୍ଣୁପୁର ହିଂସା ପରେ ଏବେ ରାଜ୍ୟର କିଛି ସ୍ଥାନରେ କୋହଳ କରାଯାଇଥିବା କର୍ଫ୍ୟୁକୁ ମଧ୍ୟ ପୁଣି ଲାଗୁ କରାଯାଇଛି । ରାଜଧାନୀ ଉପକଣ୍ଠ ଇମ୍ଫାଲ ଭ୍ୟାଲି, ଇମ୍ଫାଲ-ପୂର୍ବ ଓ ଇମ୍ଫାଲ-ପଶ୍ଚିମ ଜିଲ୍ଲାକୁ ପୁଣି କର୍ଫ୍ୟୁ ଫେରିଛି ।
ଆଜି ମଣିପୁରର ହିଂସାରେ ପ୍ରାଣ ହରାଇଥିବା କୁକି-ଜୋମି ସମ୍ପ୍ରଦାୟର ମୃତକଙ୍କ ସମୂହ ସମାଧି ପାଇଁ ଯୋଜନା ରଖାଯାଇଥିଲା । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ଆଶଙ୍କାରେ ଏହି ସମୂହ ସମାଧି ସ୍ଥଳକୁ ଯିବା ପାଇଁ ହାଇକୋର୍ଟ ବାରଣ କରିବା ପରେ ପୋଲିସ ଓ ସେନା ମୁତୟନ ହୋଇଥିଲା । ଏକ ଆଦିବାସୀ ସଂଗଠନ (ITLF) ଅଭିଯୋଗ କରିଛି ଯେ, ବିଷ୍ଣୁପୁର ସୀମାନ୍ତରେ ଥିବା ଚୁରାଚାନ୍ଦପୁର ଜିଲ୍ଲାର ହାଲାଇ ଖୋପି ଗ୍ରାମରେ 35 ଜଣଙ୍କ ଅନ୍ତିମ ସଂସ୍କାର ଏପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହାପରେ ଲୋକେ ଏକାଠି ହେବା ସହ ସାମାଧି ସ୍ଥଳକୁ ଯିବା ପାଇଁ ଉଦ୍ୟମ କରିଥିଲେ ।