ବେଙ୍ଗାଲୁରୁ:ମଣିପାଲ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ ଶିକ୍ଷାନୁଷ୍ଠାନରେ ଜଣେ ମୁସଲିମ ଛାତ୍ରଙ୍କୁ ଜଣେ ପ୍ରଫେସର ଅଜମଲ କସାବ ସହ ତୁଳନା କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଯାଇଛି । ପ୍ରଫେସରଙ୍କ ଏଭଳି ମନ୍ତବ୍ୟ ପରେ ଛାତ୍ର ଜଣକ ଏହାର ପ୍ରତିବାଦ କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବିବାଦ ସୃଷ୍ଟି ହେବାରୁ ସମ୍ପୃକ୍ତ ପ୍ରଫେସରଙ୍କୁ ମଣିପାଲ ୟୁନିଭର୍ସିଟିରେ କ୍ଲାସ୍ ନେବାରୁ ନିବୃତ୍ତ ରଖାଯାଇଛି ।
ମୁସ୍ଲିମ ଛାତ୍ରଙ୍କ ପ୍ରତି ଏଭଳି ମନୋଭାବ ରଖୁଥିବା ପ୍ରଫେସରଙ୍କୁ ବର୍ତ୍ତମାନ ବ୍ୟାନ କରିବାକୁ ଦାବି ଉଠିବାରେ ଲାଗିଛି । ସେପଟେ ତଦନ୍ତ ଚାଲିଥିବା ପର୍ଯ୍ୟନ୍ତ ତାଙ୍କୁ କୌଣସି କ୍ଲାସ ନେବାକୁ ଦିଆଯିବ ନାହିଁ ବୋଲି ଉଡୁପି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ନଭେମ୍ବର ୨୮) ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ପ୍ରଫେସରଙ୍କ କୌଣସି ଏକ ମନ୍ତବ୍ୟକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି ଜଣେ ଛାତ୍ର । ପରବର୍ତ୍ତୀ ସମୟରେ ମଣିପାଲ ୟୁନିଭର୍ସିଟିରୁ ଏହି ଭିଡିଓ ଭାଇରାଲ୍ ହୋଇଥିବା ଜଣା ପଡ଼ିଥିଲା । ପ୍ରଫେସର ଛାତ୍ରଙ୍କୁ ତାଙ୍କ ନାମ ବଦଳରେ ୨୬/୧୧ ଆତଙ୍କୀ ଅଜମଲ କସାବଙ୍କ ନାମରେ ଡାକିଥିଲେ ।