ଶିମଲା:ନକଲି ପରିଚୟରେ ହିମାଚଳ ପ୍ରଦେଶରେ ରହୁଥିବା ଆଉ ଜଣେ ଚୀନ ମହିଳା ଗିରଫ । ମହିଳା ଜଣକ ନିଜକୁ ନେପାଳୀ ପରିଚୟ ଦେଇ ଏଠାରେ ରହିଆସୁଥିଲେ । ତାଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ ଛାନଭିନ୍ କରିବା ପରେ ସେ ଚୀନ ନାଗରିକ ହୋଇଥିବା ଜଣାପଡିଥିଲା । ଏହାପରେ ପୋଲିସ ମହିଳାଙ୍କୁ ଗିରଫ କରିନେଇଛି(Chinese woman living as Nepali arrested) । ତେବେ ଗତ ୨୨ ତାରିଖରୁ ତାଙ୍କୁ ହିମାଚଳ ମଣ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲେ ମଧ୍ୟ ଏହାକୁ ଗୋପନ ରଖାଯାଇଥିଲା । ମଙ୍ଗଳବାର ମଣ୍ଡି ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଗତ ୧୫ ଦିନ ଧରି ମହିଳା ଜଣକ ମଣ୍ଡି ଜିଲ୍ଲା ଚୌତଣ୍ଡା ଅଞ୍ଚଳରେ ରହିଆସୁଥିଲେ । ସେ ଏଠାକୁ ବୌଦ୍ଧ ଧର୍ମର ଶିକ୍ଷା ଗ୍ରହଣ କରିବାକୁ ଆସିଥିଲେ ଏବଂ ନିଜକୁ ନେପାଳୀ ବୋଲି ସମସ୍ତଙ୍କୁ ପରିଚୟ ଦେଉଥିଲେ । ହେଲେ ସେ ନେପାଳ ନାଗରିକ ପରି ନ ଲାଗୁଥିବାରୁ ସନ୍ଦେହ ହୋଇଥିଲା । ଏହାପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନଘନା ଆରମ୍ଭ କରିଥିଲେ । ମହିଳା ରହୁଥିବା ରୁମର ଯାଞ୍ଚ କରାଯିବା ବେଳେ ସେଠାରୁ କିଛି ସନ୍ଦିଗ୍ଧ ଦସ୍ତାବିଜ୍ ଜବତ ହୋଇଥିଲେ ।
ମହିଳାଙ୍କ କିଛି ଦସ୍ତାବିଜ ଚୀନ ଓ କେତେକ ନେପାଳର ଥିଲା । ଦୁଇଟିଯାକ କାଗଜପତ୍ରରେ ତାଙ୍କର ବୟସ ଭିନ୍ନ ରହିଥିଲା । ଏହାସହିତ ସନ୍ଦିଗ୍ଧ ମହିଳାଙ୍କ ନିକଟରୁ ୬ ଲକ୍ଷ ୪୦ ହଜାର ଭାରତୀୟ ଟଙ୍କା ଏବଂ ୧ ଲକ୍ଷ ୧୦ ହଜାର ନେପାଳ ମୁଦ୍ରା ଜବତ କରାଯାଇଥିଲା । ପୋଲିସ ଏହିସବୁ ସନ୍ଦିଗ୍ଧ ବିଷୟକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରିନେଇଛି । ସେହିପରି ତାଙ୍କ ନିକଟରୁ ଜବତ ଦୁଇଟି ମୋବାଇଲର ଯାଞ୍ଚ ପାଇଁ ପଠାଯାଇଛି ।