ନୂଆଦିଲ୍ଲୀ:ଆଜି ସାରା ଦେଶବାସୀ ପାଳିଛନ୍ତି ରଙ୍ଗର ପର୍ବ ହୋଲି । ଚାରିଆଡେ ଉତ୍ସବର ମାହୋଲ । ଏହି ସମୟରେ ଆସିଛି ଏକ ମଜାଳିଆ ଖବର । ଯେଉଁଠି ଜଣେ ଯୁବକ ଫୁ଼ଡ ଡେଲିଭରୀ କମ୍ପାନୀ ଜୋମାଟୋକୁ ମାଗିଛନ୍ତି 'ଭାଙ୍ଗ କି ଗୋଲି' । ତେବେ ସେ ଥର କି ୨ ଥର ନୁହେଁ, ୧୪ ଥର ନିଶାଦ୍ରବ୍ୟ ଭାଙ୍ଗ ଡେଲିଭରୀ କରିବା ଲାଗି ଜୋମାଟୋକୁ କହିଥିଲେ । ଏ ନେଇ ଜୋମାଟୋ ଟ୍ବିଟ କରି ସୂଚନା ଦେଇଛି । କମ୍ପାନୀ କହିଛି ଯେ କେହି ଏହି ଯୁବକଙ୍କୁ କୁହନ୍ତୁ ଯେ ଆମେ ଭାଙ୍ଗ ଡେଲିଭରୀ କରୁନାହୁଁ । ଜୋମାଟୋ ଏପରି ଟ୍ବିଟ କରିବା ପରେ କମେଣ୍ଟ ସେକ୍ସନରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ଉକ୍ତ ଯୁବକଙ୍କ ନାମ ଶୁଭମ ବୋଲି ଜଣାପଡ଼ିଛି । ଜୋମାଟୋ ଟ୍ବିଟ କରି ଲେଖିଛି, "କେହି ଶୁଭମଙ୍କୁ କୁହନ୍ତୁ ଯେ ଆମେ ଭାଙ୍ଗ ଡେଲିଭରୀ କରୁନାହୁଁ । ସେ ଆମକୁ ୧୪ ଥର ଭାଙ୍ଗ ଡେଲିଭରୀ କରିବା ଲାଗି ଅନୁରୋଧ କରିଛନ୍ତି ।" ଏହି ଟ୍ବିଟଟି ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ଏହି ଟ୍ବିଟରେ ପ୍ରତିକ୍ରିୟା ରଖି କହିଛି, "ଶୁଭମ ଭାଙ୍ଗ ଖାଇ ଗାଡ଼ି ଚଳାଇବ ନାହିଁ । ଯଦି କେହି ଶୁଭମକୁ ଭେଟ ତେବେ ତାଙ୍କୁ କହିଦେବ ଭାଙ୍ଗ ଖାଇ ଗାଡ଼ି ଚଳାଇବେ ନାହିଁ ।" ଦିଲ୍ଲୀ ପୋଲିସର ଏହି ଟ୍ବିଟ୍କୁ ମଧ୍ୟ ୟୁଜର୍ସ ବେଶ ପସନ୍ଦ କରିବା ସହିତ ମଜାଳିଆ କମେଣ୍ଟ ଦେଇଛନ୍ତି ।