ହାଇଦ୍ରାବାଦ:ଆକାଶରୁ ଖସିଲା ନୋଟ । ଧରିବା ପାଇଁ ଦୌଡାଦୌଡି ହେଲେ ଲୋକେ । ଟ୍ରାଫିକ ଜାମ ହେଲା, ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଲା । ବେଶ କିଛି ସମୟ ଏପରି ଅପ୍ରିତିକର ସ୍ଥିତି ଲାଗି ରହିଲା । ଏପରି ଏକ ବିରଳ ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି । ଜଣେ ଯୁବକ ହାତରେ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫ୍ଲାଏଓଭର ଉପରୁ ଟଙ୍କା ଉଡାଇ କିଛି ସମୟ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ ବେଙ୍ଗାଲୁରୁ ସହରର କେ.ଆର ମାର୍କେଟ ଏରିଆରେ ଏହି ଘଟଣା ଘଟିଛି । କଳା କୋଟ ପିନ୍ଧିଥିବା ଜଣେ ଯୁବକ ହାତରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫ୍ଲାଇଓଭର ଉପରୁ ଉଡାଇବାକୁ ଲାଗିଥିଲେ । ଯୁବକଙ୍କ ପଛରେ ଲୋକେ ଦୌଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଫ୍ଲାଇଓଭରର ଉଭୟ ପାର୍ଶ୍ବକୁ ଯାଇ ତଳକୁ ଟଙ୍କା ଫିଙ୍ଗିବାରେ ଲାଗିଥିଲେ ସମ୍ପୃକ୍ତ ଯୁବକ । ପବନରେ ଟଙ୍କା ନୋଟଗୁଡିକ ବହୁଦୂର ପର୍ଯ୍ୟନ୍ତ ଉଡୁଥିବା ବେଳେ ତଳେ ଥିବା ଲୋକେ ଏହାକୁ ଧରିବା ପାଇଁ ଏଣେତେଣେ ଧାଉଁଥିବା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ପାଇଁ ସମଗ୍ର କେ.ଆର ମାର୍କେଟ ଏରିଆରେ ଟ୍ରାଫିକ ଜାମ ହେବା ସହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।