ବେଙ୍ଗାଲୁରୁ:କର୍ଣ୍ଣାଟକର ରାମନଗରରେ ଜଣେ ବ୍ୟକ୍ତିଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅମଲାପୁରର ୪୭ ବର୍ଷୀୟ ବ୍ୟକ୍ତି ପ୍ରଦୀପ ବୋଲି ଜଣା ପଡ଼ିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୃତଦେହ ନିକଟରୁ ଏକ ନୋଟ୍ ଜବତ ହୋଇଛି, ଯେଉଁଥିରେ ଜଣେ ବିଜେପି ବିଧାୟକଙ୍କ ନାମ ରହିଛି । ଏହା ପ୍ରଦୀପ ଲେଖିଥିବା କୁହାଯାଉଛି । ବିଧାୟକଙ୍କ ସହ ସମ୍ପୃକ୍ତ ନୋଟ୍ରେ ଅନ୍ୟ ୫ ଜଣଙ୍କ ନାମ ରହିଛି ।
ନୋଟରେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲିଙ୍କ ନାମ ଲେଖା ଯାଇଛି । ସେ ପୂର୍ବତନ ମନ୍ତ୍ରୀ ତଥା ମହାଦେବପୁରା ନିର୍ବାଚନମଣ୍ଡଳୀର ବିଧାୟକ । ଅନ୍ୟ ୫ଜଣଙ୍କ ନାମ ହେଉଛି ଜି ରମେଶ ରେଡ୍ଡୀ, କେ ଗୋପୀ, ଜୟରାମ ରେଡ୍ଡୀ, ରାଘବ ଭଟ ଏବଂ ସୋମାୟା । ଏହାକୁ ନେଇ ପୋଲିସ କହିଛି, "ରବିବାର ଦିନ ନୂଆବର୍ଷ ମନାଇବାକୁ ସେ ତାଙ୍କ ପରିବାର ସହିତ ବେଙ୍ଗାଲୁରୁର ରାମନଗରର ନେତାଗେରର ଏକ ରିସର୍ଟକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେ ସୁଇସାଇଡ ନୋଟ ଲେଖି ନିଜ କାରରେ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରିଛନ୍ତି ।"
ଏହା ମଧ୍ୟ ପଢନ୍ତୁ-Demonetization Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଲେ ସୁପ୍ରିମକୋର୍ଟ
ଜବତ ହୋଇଥିବା ସୁସାଇଡ ନୋଟ୍ରେ ମୃତ୍ୟୁ ପାଇଁ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲି ଓ ୫ଜଣ ଦାୟୀ ବୋଲି ଲେଖା ଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି । ଏହାସହ ସେ ନୋଟ୍ରେ ବିଧାୟକଙ୍କ ସହ ଅନ୍ୟମାନଙ୍କ ମୋବାଇଲ ନମ୍ବର ଉଲ୍ଲେଖ କରିଛନ୍ତି । ଏକ ରିସର୍ଟ ଖୋଲିବା ପାଇଁ ୫ ଜଣ ବ୍ୟକ୍ତି ମୋ ଠାରୁ ୧.୫ କୋଟି ଟଙ୍କା ନେଇଥିଲେ । ଏଥିସହ ମୋତେ ବ୍ୟବସାୟରେ ଅଂଶୀଦାର କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ସେମାନେ ମୋ ସହ ବିଶ୍ବାସ ଘାତକତା କଲେ ।ମୁଁ ୨.୫୦ କୋଟି ଟଙ୍କା ପାଇବାର ଥିଲା । ଏହି ଘଟଣାରେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବାଲି ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । ଏହାପରେ ମୋତେ ମାତ୍ର ୯ ଲକ୍ଷ ଟଙ୍କା ଫେରାଯାଇଥିଲା । କିନ୍ତୁ ପର ମୁହୁର୍ତ୍ତରେ ସେ ମୋତେ ଆଉ ସାହାଯ୍ୟ କରିନଥିଲେ ବୋଲି ସୁଇସାଇଡ ନୋଟରେ ଲେଖିଛନ୍ତି ପ୍ରଦୀପ ।