ରାୟପୁର: ଛତିଶଗଡରେ ଲଜ୍ଜା । ବାନ୍ଧବୀକୁ ଦୁଷ୍କର୍ମ କଲା ବିବାହିତ ଯୁବକ । ଏଭଳି ଅଭିଯୋଗ ଆସିଛି ଦନ୍ତେଓ୍ବାଡା ଜିଲ୍ଲାର ବଚେଲୀ ଥାନା ଅଞ୍ଚଳରୁ । ଏନେଇ ପରିବାର ଲୋକେ ବଚେଲୀ ଥାନାରେ ଅଭିଯୋଗ କରିବା ପରେ ଯୁବକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ୨୪ ତାରିଖ ମଧ୍ୟାହ୍ନ ପର ଠାରୁ ଝିଅ କୁଆଡେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ୨୫ ତାରିଖ ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ପଦ୍ମପୁରର ମୋବାଇଲ୍ ଟାୱାର ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ଦୁଷ୍କର୍ମ ଏବଂ ମୁଣ୍ଡରେ ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛ । ଏହାପରେ ପରିବାର ଲୋକଙ୍କ ତରଫରୁ ଥାନାରେ ଅଭିଯୋଗ କରାଯାଇଥିଲା ।
ବଚେଲୀ ଥାନା ଅଧିକାରୀ ଗୋବିନ୍ଦ ୟାଦବ କହିଛନ୍ତି,"କଡମପାଲର ବାସିନ୍ଦା ବୁଦ୍ଧ୍ରୁ ଓୟାମି ଏବଂ ବିଜୁ ରାମ ଓୟାମି ମିଶି ଯୁବତୀଙ୍କୁ ନେଇ ଦୁଷ୍କର୍ମ କରିଛନ୍ତି । ଏହାପରେ ତାଙ୍କୁ ଏକ ସ୍ଥାନରେ ଛାଡି ଚାଲିଯାଇଥିଲେ । ଅଭିଯୋଗ ଅନୁସାରେ ଆମେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛୁ । ତେବେ ପ୍ରଥମେ ଅଭିଯୁକ୍ତମାନେ ସତ ମାନିନଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସବୁ ସତ ମାନିଥିଲେ । "