ବେଙ୍ଗାଲୁରୁ: କର୍ଣ୍ଣାଟକର ରଜନା ସିରିସିଲା ଜିଲ୍ଲାରେ ଅଭାବନୀୟ ଘଟଣା । ପୋଲିସ ବ୍ୟବଚ୍ଛେଦ ପାଇଁ କହିବାରୁ ମୃତଦେହକୁ ଧରି ଧାଇଁଲେ ସମ୍ପର୍କୀୟ ଭାଇ । ଟାଙ୍କାପାଲି ମଣ୍ଡଳର ଲକ୍ଷ୍ମୀପୁର ଗ୍ରାମରେ ଶୁକ୍ରବାର ଘଟିଛି ଏଭଳି ଘଟଣା । ମୃତକ ହେଲେ ୬୫ ବର୍ଷୀୟ ଜଦଲା ମଲାହିଆ । ଜଦଲାଙ୍କ ମୃତ୍ୟୁକୁ ନେଇ ପୋଲିସକୁ ସନ୍ଦେହ ହେବାରୁ ବ୍ୟବଚ୍ଛେଦ କରିବା ପାଇଁ କହିଥିଲା ପୋଲିସ । କିନ୍ତୁ ପରିବାର ଲୋକେ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ମରଶରୀର ଧରି ଧାଇଁ ପଳାଇଥିଲେ ।
ପୋଲିସ ଏବଂ ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି (ଶୁକ୍ରବାର) ଦିନ ଟାଙ୍କାପାଲି ମଣ୍ଡଳର ଲକ୍ଷ୍ମୀପୁର ଗ୍ରାମର ୬୫ ବର୍ଷୀୟ ଜଦଲା ମଲାହିଆଙ୍କ ମୃତ୍ୟୁ ହୋଇଥିଲା । ନିଜ ବାସଭବନରେ ସେ ଆରପାରିକୁ ଚାଲିଯାଇଥିଲେ । ଏହାପରେ ପରିବାର ଲୋକେ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ଏକ ଅଜଣା ବ୍ୟକ୍ତି ଏହି ଘଟଣାକୁ ନେଇ ପୋଲିସକୁ ଅବଗତ କରାଇଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମରଶରୀରକୁ ସିରିସିଲା ପଠାଇ ବ୍ୟବଚ୍ଛେଦ କରିବା ପାଇଁ କହିଥିଲେ । କିନ୍ତୁ ପୋଲିସର କଥାରେ ରାଜି ହୋଇନଥିଲେ ଜଦଲାଙ୍କ ପରିବାର ଲୋକେ । ତେବେ ପୋଲିସ ଜଦଲାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସମୟରେ ଜଲଦାଙ୍କ ଭାଇ ମୃତଦେହକୁ କାନ୍ଧରେ ଧରି ଦୌଡିବାକୁ ଆରମ୍ଭ କରିଥିଲା । ପୋଲିସ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସେ ନ ଅଟକି ଅନ୍ତିମ ସଂସ୍କାର କରିବା ପାଇଁ ଦୌଡି ପଳାଇପଳାଇଥିଲା । ଜଲଦାଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି ଏବଂ ତାଙ୍କ ମୃତ୍ୟୁରେ ଆମକୁ ସନ୍ଦେହ ନାହିଁ ବୋଲି ପୋଲିସକୁ କହିଥିଲେ ପରିବାର ଲୋକେ । ତେଣୁ ଆମେ ବ୍ୟବଚ୍ଛେଦ କରିବାକୁ ଚାହୁଁନାହୁଁ ବୋଲି କହିଥିଲେ । ତେବେ ପୋଲିସ ମୃତଦେହ ଜବତ କରି ସିରିସିଲା ଡାକ୍ତରଖାନାକୁ ନେଇଛି ।