ହାଇଦ୍ରାବାଦ: ତେଲେଙ୍ଗାନାରେ ଚାଞ୍ଚଲ୍ୟ । ପାରିବାରିକ କଳହ ଯୋଗୁଁ ସାତଜନ୍ମର ସାଥି କରିବା ପାଇଁ କଥା ଦେଇଥିବା ସ୍ତ୍ରୀକୁ ଗୋଟିଏ ଜନ୍ମରେ ସଂସାରରୁ ଦୂର କରିଦେଲା ସ୍ବାମୀ । ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମେଡଚଲ ପୋଲିସ ଷ୍ଟେସନ ଅଞ୍ଚଳରୁ । ଘଟଣା ସମୟର ପୁରା ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ପିଶାଚ ପିତାଙ୍କ ବିରୋଧରେ ଥାନାରେ ଏତଲା ଦେଲା ଝିଅ ।
ସୂଚନାଅନୁସାରେ, ମେଡଚଲ ପୋଲିସ କ୍ଷେତ୍ର ଅଞ୍ଚଳରେ ଥିରୁନାଗରି ନରେନ୍ଦ୍ର, ସ୍ତ୍ରୀ ନାଭ୍ୟା ଶ୍ରୀ ଏବଂ ତାଙ୍କ ଦୁଇଝିଅ ମେଘନା ଏବଂ ଚନ୍ଦନା ରହୁଥିଲେ । ଦୁହେଁ ହସ ଖୁସିରେ ଜୀବନ ବିତାଉଥିଲେ । ହେଲେ ପାରିବାରିକ କଳହ ପରିବାରରକି ଛାରଖାର କରିଦେଲା । ଗତ ୧୮ ତାରିଖରେ କୌଣସି ଏକ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ ଦେବତା କୁହାଯାଉଥିବା ସ୍ବାମୀ ପିଶାଚ ପାଲଟିଗଲା । ସୁନାର ସଂସାର କ୍ଷଣିକ ମଧ୍ୟରେ ଚୁନା ହୋଇଗଲା । ନିଜ କ୍ରୋଧକୁ ସହ୍ୟ କରିନପାରି ସ୍ତ୍ରୀ ଉପରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିଲା । ଦୁଇଝିଅ ବାପାଙ୍କୁ ରୋକିବା ପାଇଁ ଶତ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ପିଶାଚ ସାଜିଥିବା ବାପା ଶୁଣିନଥିଲା । ତେବେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ନାଭ୍ୟାଙ୍କୁ ଉଦ୍ଧାର କରିଥିଲେ ।