ରାୟପୁର:ସଇତାନ ସାଜିଲା ସ୍ବାମୀ । ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟକାଣ୍ଡ । ସ୍ତ୍ରୀ ସହ ୩ ଶିଶୁଙ୍କୁ ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଛତିଶଗଡର ବିଳାସପୁର ଜିଲ୍ଲାରୁ । ଏହି ଘଟଣାକୁ ନେଇ ଅଭିଯୁକ୍ତ ସ୍ବାମୀ ଉମେନ୍ଦ୍ର କେବଟଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବା ସହ ହତ୍ୟାକାଣ୍ଡର କାରଣ ଖୋଜୁଛି ।
ସୂଚନା ମୁତାବକ, ବିଳାସପୁର ଜିଲ୍ଲାର ମସ୍ତୁରୀ ଥାନା ଅନ୍ତର୍ଗତ ହିରୀ ଗ୍ରାମର ଉମେନ୍ଦ୍ର ତାଙ୍କ ପରିବାର ସହ ରହୁଥିଲେ । ତାଙ୍କର ୩ ଜଣ ପିଲା ଥିଲେ । ଦୁଇ ଝିଅ ଓ ଗୋଟିଏ ପୁଅ । ହସଖୁସିରେ ତାଙ୍କ ସଂସାର ଚାଲିଥିଲା । ହେଲେ ଗତ କିଛିଦିନ ହେବ ତାଙ୍କ ସ୍ତ୍ରୀଙ୍କର ଅବୈଧ ସଂମ୍ପର୍କ ଥିବା ନେଇ ଉମେନ୍ଦ୍ର ସନ୍ଦେହ କରୁଥିଲେ । ଯାହାକୁ ନେଇ ଦୁହିଁଙ୍କ ଭିତରେ ଝଗଡା ଲାଗି ରହୁଥିଲା । ଉମେନ୍ଦ୍ର ତାଙ୍କ ସ୍ତ୍ରୀକୁ ମାରପିଟ ମଧ୍ୟ କରୁଥିଲେ । ତେବେ ନୂଆବର୍ଷ ପୂର୍ବ ଦିନ ପରିବାରର ସମସ୍ତେ ସେଲିବ୍ରେସନ କରିଥିଲେ । ଅଭିଯୁକ୍ତଙ୍କ ମାଆ ଏବଂ ପିତାଙ୍କ ବିବାହ ବାର୍ଷିକୀ ଓ ନୂଆ ବର୍ଷ ହୋଇଥିବାରୁ କେକ୍ କାଟି ପାଳନ କରିଥିଲେ ।
ଏହାପରେ ସମସ୍ତେ ଏକାଠି ରାତ୍ରି ଭୋଜନ କରି ସମସ୍ତେ ଶୋଇବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା। ଏହା ପରେ ସେ ନିଜେ ମସ୍ତୁରୀ ପୋଲିସ ଷ୍ଟେସନକୁ ଯାଇ ଅପରାଧ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଏନେଇ ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ସହ ପୋଲିସ ପହଞ୍ଚିଥିଲା। ଏହା ପରେ ପରିବାର ସଦସ୍ୟ ଘଟଣା ବିଷୟରେ ଜାଣିବାକୁ ପାଇଲେ।