ଗାନ୍ଧୀନଗର: ଅହମ୍ମଦାବାଦ ସହରରେ ନକଲି ପୋଲିସ ଅନେକ ଥର ଧରାପଡିଥିବା ଖବର ସାମ୍ନାକୁ ଆସିଛି । ହେଲେ ଚଳିତଥର ଗିରଫ ହୋଇଛନ୍ତି ଜଣେ ନକଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଅଧିକାରୀ । ଜଣେ ଯୁବକ ଏନଆଇଏ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପରିଚୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସର୍କିଟ ହାଉସରେ ନିଜ ପତିଆରା ଦେଖାଇବା ସହ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା । ଦୀର୍ଘ କିଛି ଦିନ ହେବ ଏହି ଅଭିଯୁକ୍ତ ସହରରେ ଏପରି କାର୍ଯ୍ୟ ଜାରି ରଖିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଶେଷରେ ବୁଧବାର ତାକୁ ପୋଲିସ ଗିରଫ କରିଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ର ଅଧିକାରୀ ଭାବେ ଦର୍ଶାଇ କାଶ୍ମୀର ପରିଭ୍ରମଣ କରିଥିବା ମହାଠକ କିରଣ ଭାଇ ପଟେଲଙ୍କ କଥା ମଧ୍ୟ ଲୋକେ ଏବେ ଭୁଲିନାନାନ୍ତି । ଏବେ ଜଣେ ଯୁବକ ଏନଆଇଏ ଅଧିକାରୀ ଭାବେ ପରିଚୟ ଦେବାର ଦୁଃସାହସ କରିଛି । ଅଭିଯୁକ୍ତ ନିକଟରୁ ଗୋଟିଏ ନୁହେଁ ତିନୋଟି ସରକାରୀ ବିଭାଗର ID କାର୍ଡ ମିଳିଛି । ଅହମ୍ମଦାବାଦରେ ଅବସ୍ଥିତ ଏନଆଇଏ କାର୍ଯ୍ୟାଳୟର ଜଣେ ଅଧିକାରୀ ଭାବରେ ନିଜକୁ ପରିବାର ସହ ପରିଚିତ କରାଇବା ପରେ ଏକାଧିକ ଅଧିକାରୀ ଓ କାର୍ଯ୍ୟାଳୟରେ ଏହି ଅଭିଯୁକ୍ତ ନିଜ ପତିଆରା ଦେଖାଉଥିଲା । ଲୋକଙ୍କୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଭୟଭୀତ ମଧ୍ୟ କରୁଥିଲା ।