ଭୋପାଳ: ମଧ୍ୟ ପ୍ରଦେଶରେ ଭାଇରାଲ ହେଉଛି ଜଣେ ଯୁବକଙ୍କୁ ଅମାନବୀୟ ନିର୍ଯାତନାର ଭିଡିଓ । ଯୁବକଙ୍କ ବେକରେ ଏକ ଦଉଡି ବାନ୍ଧି ସଂଘବଦ୍ଧ ନିର୍ଯାତନା ଦେଉଛନ୍ତି କିଛି ଯୁବକ । ଯୁବକଙ୍କ ବେକରେ ଦଉଡି ବାନ୍ଧି ଘୋଷାଡିବା ସହ କୁକୁର ପରି ଭୁକିବା ପାଇଁ କହୁଛନ୍ତି । ଯୁବକଜଣଙ୍କ ରାସ୍ତାରେ ଆଣ୍ଠେଇ ନେହୁରା ମଧ୍ୟ ହେଉଛନ୍ତି । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି । ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଭାଇରାଲ ଭିଡିଓ ଯାଞ୍ଚ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 24 ଘଣ୍ଟା ମଧ୍ୟରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ କମିଶନରଙ୍କୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିଲା । ପ୍ରଶାସନ ଆକ୍ସନମୋଡକୁ ଆସି ଅଭିଯୁକ୍ତଙ୍କ ଘର ଭାଙ୍ଗିଛି ।
ଭାଇରାଲ ଭିଡିଓର ଯାଞ୍ଚ ଆଧାରରେ ପୋଲିସ ସମୀର, ସାଜିଦ ଏବଂ ଫୈଜାନ ନାମକ ତିନି ଯୁବକଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭାଇରାଲ୍ ହେଉଛି 48 ସେକେଣ୍ଡର ଭିଡିଓ:-
ଏହି ଅମାନବୀୟ ଅତ୍ୟାଚାରର ଏକ 48 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ପୀଡିତ ଯୁବକଙ୍କ ନାମ ବିଜୟ ରାମଚନ୍ଦାନୀ ବୋଲି କୁହାଯାଉଛି । 48 ସେକେଣ୍ଡର ଭିଡିଓ କ୍ଲିପ୍ରେ ଅଭିଯୁକ୍ତମାନେ ପୀଡିତଙ୍କୁ କୁକୁର ପରି ଭୁକିବା ପାଇଁ ବାଧ୍ୟ କରିବା ସହ ବେକରେ ଏକ ଦଉଡି ବାନ୍ଧି ଘୋଷାଡିବାକୁ ପ୍ରୟାସ କରୁଛନ୍ତି । କୌଣସି ଏକ ଘଟଣାରେ କ୍ଷମା ପ୍ରାର୍ଥନା ମଧ୍ୟ କରିବାକୁ କହୁଛନ୍ତି । ପୀଡିତ ଯୁବକ ରାସ୍ତାରେ ଆଣ୍ଠେଇ କ୍ଷମା ମାଗିବା ସହ ସେ ସେପରି କିଛି କରିନଥିବା ମଧ୍ୟ ନେହୁରା ହେଉଛନ୍ତି ।