ମୁମ୍ବାଇ: କଳଙ୍କିତ ହେଲା ରକ୍ତ ସମ୍ପର୍କ । ନିଜର ଜନ୍ମକଲା ଝିଅ ସହ ଦୁଷ୍କର୍ମ କଲା ବାପା । ଥରେ କି ଦୁଇଥର ନୁହେଁ, ୫ ବର୍ଷ ହେଲାଣି ଜହ୍ଲାଦ ବାପା ମଦ ନିଶାରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଆସୁଥିଲା । ସମାଜରେ ବାପ ଝିଅର ସମ୍ପର୍କ ସବୁଠୁ ପବିତ୍ର କୁହାଯାଉଥିବାବେଳେ ସମସ୍ତଙ୍କୁ ବିଚଳିତ କଲାଭଳି ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ର ପୁଣେରୁ । ଏହି କୁକର୍ମକୁ ପୀଡିତାଙ୍କ ସାବତ ମାଆ ସମର୍ଥନ କରୁଥିଲେ । ଏନେଇ ପୀଡିତା ବନ୍ଧୁଙ୍କ ସହାୟତାରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।
ସୂଚନା ମୁତାବକ, ଗତ ରବିବାର ଦିନ ନାବାଳିକା ଜଣକ ପୁଣେ ୟେରାୱାଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଅନୁଯାୟୀ, ପୀଡିତା ୫ ବର୍ଷର ଥିବାବେଳେ ତାଙ୍କ ମାଆ ଓ ବାପା ଅଲଗା ହୋଇଯାଇଥିଲେ । ଏହାପରେ ବାପା ଦ୍ବିତୀୟ ବିବାହ କରିଥିଲେ ଏବଂ ସେ ବାପା ପାଖରେ ରହିଆସୁଥିଲେ । ପ୍ରଥମେ ୧୨ ବର୍ଷ ବୟସରେ ନାବାଳିକା ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏ ସମ୍ପର୍କରେ ପୀଡିତା ନିଜ ସାବତ ମାଆକୁ ଜଣାଇଥିଲେ ମଧ୍ୟ ସେ ତାଙ୍କ କଥା ଶୁଣିବା ବଦଳରେ ଓଲଟା ବାପାଙ୍କୁ ସମର୍ଥନ କରିଥିଲେ । ଏହିପରି ଭାବେ ୫ ବର୍ଷ ହେଲା ମଦ ପିଇ ବାରମ୍ବାର ଅଭିଯୁକ୍ତ ନିଜ ଝିଅ ସହ ଦୁଷ୍କର୍ମ କରିଆସୁଥିଲା ।