ହାଇଦ୍ରାବାଦ: ଓଡିଶାର ଜଣେ 5 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଛନ୍ତି ହାଇଦ୍ରାବାଦ କୋର୍ଟ । 2017ର ଏହି ଘଟଣାରେ ଅଭିଯୁକ୍ତ ଦିନେଶ କୁମାରକୁ ସେସନ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ।
12 ଡିସେମ୍ବର 2017ରେ ମଧ୍ୟପ୍ରଦେଶର ପ୍ରବାସୀ ଶ୍ରମିକ ଦିନେଶ କୁମାର ଓଡିଶାର ଆଉ ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅକୁ ଦୁଷ୍କର୍ମ କରିଥିଲା । ତେବେ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା 363, 366, 376 (ଏ), 302 ଏବଂ ପୋକ୍ସୋ ଆଇନ ଆଧାରରେ ଅଭିଯୁକ୍ତକୁ ଦଣ୍ଡିତ କରିଛନ୍ତି କୋର୍ଟ ।
ସୂଚନା ଅନୁଯାୟୀ ଉଭୟ ପୀଡିତା ଓ ଅଭିଯୁକ୍ତର ପରିବାର ଲୋକେ ଅଲକାପୁରୀର ଆର୍ୟମିତ୍ରା ଶ୍ରମିକ କ୍ୟାମ୍ପରେ ରହୁଥିଲେ । ସାଇବରବାଦ ପୋଲିସ କମିଶନର ଭି.ସି. ସଜନାର କହିଛନ୍ତି ଯେ ପୀଡିତାଙ୍କ ମା ନରସିଂହୀ ଥାନାରେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ଦିନେଶ ତାଙ୍କ ଝିଅକୁ ଚକୋଲେଟ କିଣିବା କହି ଦୋକାନକୁ ନେଇ ଯାଇଥିଲା, କିନ୍ତୁ ପରେ ଏକୁଟିଆ ଦିନେଶ ଫେରିଆସିଥିବା ବେଳେ ଝିଅକୁ ଶ୍ରମିକ କ୍ୟାମ୍ପରେ ଛାଡି ଦେଇଥିବା ନେଇ କହିଥିଲା ।
ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତଦନ୍ତରୁ ଜଣାପଡିଥିଲା ଯେ ସେ ପୀଡିତା ପାଇଁ ଚକୋଲେଟ କିଣିବା ପରେ ତାକୁ ଶିରିଡି ସାଇ ପ୍ରେମ ସମାଜ ହସ୍ପିଟାଲ ନିକଟସ୍ଥ ନରସିଂହୀ ଗାଁ ପାଖରେ ଥିବା ବୁଦାକୁ ନେଇ ଦୁଷ୍କର୍ମ ଓ ପରେ ହତ୍ୟା କରିଥିଲା । ତେବେ ଶୀଘ୍ର ତଦନ୍ତ ଶେଷ କରି ଚାର୍ଜସିଟ ଦାଖଲ କରିଥିବା ପୋଲିସ କମିଶନର କହିଛନ୍ତି । ଅଭିଯୁକ୍ତ ଜାମିନ ପାଇଥିଲା ହେଲେ ଏକ ସ୍ୱତନ୍ତ୍ର ଟିମ ମଧ୍ୟପ୍ରଦେଶ ଯାଇ ତାକୁ ପୁଣି ଗିରଫ କରିଥିବା ସଜନାର କହିଛନ୍ତି ।
ପୋଲିସ କମିଶନର କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ତେଲେଙ୍ଗାନା ପୋଲିସ ବିଶେଷ ଧ୍ୟାନ ଦେଉଛି । ସେ ଦର୍ଶାଇଛନ୍ତି ଯେ ଗତ 6 ବର୍ଷ ମଧ୍ୟରେ ଜଘନ୍ୟ ଅପରାଧରେ 8 ଜଣ ଅଭିଯୁକ୍ତଙ୍କୁ ରାଜ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି ।