ଓଡିଶା

odisha

ସ୍କୁଲରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଲେ ବନ୍ଧୁକଧାରୀ, କାବୁ କଲା ପୋଲିସ

By

Published : Apr 27, 2023, 11:24 AM IST

ପଶ୍ଚିମବଙ୍ଗର ମାଲଦା ମୁଚିୟା ଚନ୍ଦ୍ରମୋହନ ଉଚ୍ଚ ବିଦ୍ୟାଳୟରେ ଜଣେ ବନ୍ଧୁକଧାରୀ ଆତଙ୍କ ଖେଳାଇଛନ୍ତି । କିଛି ଅଘଟଣ ପୂର୍ବରୁ ଚତୁରତାର ସହ ପୋଲିସ ତାଙ୍କୁ କାବୁ କରିଛି । ଅଧିକ ପଢନ୍ତୁ

Man enters classroom with pistol
ସ୍କୁଲରେ ବନ୍ଧୁକ ନେଇ ଆତଙ୍କ ଖେଳାଇଲେ ଯୁବକ

କୋଲକାତା: ସ୍କୁଲ ଭିତରେ ଜଣେ ବନ୍ଧୁକଧାରୀଙ୍କ ଆତଙ୍କ । ହାତରେ ବନ୍ଧୁକ ଧରି ଶ୍ରେଣୀ ଗୃହରେ ପଶି ପିଲାଙ୍କୁ ବନ୍ଦୀ କରିବାକୁ ଚାହୁଁଥିଲେ ବ୍ୟକ୍ତି ଜଣଙ୍କ । ଚତୁରତାର ସହିତ ବନ୍ଧୁକଧାରୀକୁ କାବୁ କରିଛି ପୋଲିସ । ଫଳରେ ଏକ ବଡ ଅଘଟଣ ଟଳିଯାଇଛି । ପଶ୍ଚିମବଙ୍ଗର ମାଲଦା ମୁଚିୟା ଚନ୍ଦ୍ରମୋହନ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଘଟଣାର ଖବର ପାଇବା ମାତ୍ରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଡିଏସପି ଅଜହାରୁଦ୍ଦିନ ଖାନ ନିଜ ଜୀବନକୁ ବିପଦରେ ପକାଇ ବନ୍ଧୁକଧାରୀକୁ କାବୁ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମୁଚିୟା ଚନ୍ଦ୍ରମୋହନ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ କ୍ଲାସ ରୁମରେ ପଶିଥିଲା ବନ୍ଧୁକଧାରୀ ଜଣକ । ସେମାନଙ୍କୁ କିଛି ସମୟ ବନ୍ଦୀ କରି ରଖିଥିଲା । ଫଳରେ ପିଲାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ହଠାତ ସ୍କୁଲକୁ ପଶି ବନ୍ଧୁକ ଦେଖାଇ ହାତରେ ଧରିଥିବା ଏକ କାଗଜକୁ ପଢିବାକୁ ଲାଗିଥିଲା । ସମସ୍ତେ ଭୟଭୀତ ଥିଲେ । ବନ୍ଧୁକ ଦେଖାଇ ସମସ୍ତ ସ୍କୁଲ ପିଲାଙ୍କୁ ଗୋଟିଏ କ୍ଲାସ ରୁମକୁ ନେଇଥିଲା ବ୍ୟକ୍ତି ଜଣକ । ଏନେଇ ପୋଲିସକୁ ଖବର ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ସ୍କୁଲ ଶିକ୍ଷକ ଦେବାଶିଷ ସିଲ କହିଛନ୍ତି, ''ସେହି ବ୍ୟକ୍ତି ଜଣଙ୍କ ନାମ ହେଉଛି ଦେବ ବଲ୍ଲଭ ଓ ତା ପୁଅ ନାମ ରୁଦ୍ର ବଲ୍ଲଭ । ତାଙ୍କ ପତ୍ନୀ ଓ ପୁଅ ଏକ ବର୍ଷ ହେବ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବାକୁ ପୋଲିସକୁ ସେ ଅନେକ ଥର କହିଛନ୍ତି । ଗଣମାଧ୍ୟମକୁ ମଧ୍ୟ ଏନେଇ ସେ ସୂଚନା ଦେଇଥିଲେ ମାତ୍ର ତାଙ୍କୁ କେହି ସାହାଯ୍ୟ କରି ନଥିଲେ । ଆଜି ସେ ସ୍କୁଲ ଭିତରକୁ ପଶି ବ୍ୟାଗରୁ ବିନ୍ଧୁକ ବାହାର କରି ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ଅଟକ ରଖିଥିଲେ । ବ୍ୟାଗରେ କିଛି ବମ ମଧ୍ୟ ରଖିଥିବା ଦେଖିବାକୁ ମିଳିଛି । ମୁଁ ପ୍ରଥମେ ଭାବିଲି ତାହା ଏକ ଖେଳନା ବନ୍ଧୁକ ମାତ୍ର ତାହା ସତ ସତିକା ବନ୍ଧୁକ ଥିଲା । ପ୍ରାୟ 80ଜଣ ଛାତ୍ରଛାତ୍ରୀଙ୍କୁ ସେ ଶ୍ରେଣୀଗୃହରେ ବନ୍ଧୁକ ଦେଖାଇ ଅଟକ ରଖିଥିଲେ । କିଛି ବି ଅଘଟଣ ଘଟି ପାରିଥାନ୍ତା । ସେ ମାନସିକ ସ୍ଥିତି ହରାଇଥିବା ଅନୁମାନ କରାଯାଉଛି ।''

ଅନ୍ୟ ଜଣେ ଶିକ୍ଷକ ପ୍ରତୀକ୍ଷା ମଣ୍ଡଳ କହିଛନ୍ତି,''ମୁଁ ବ୍ୟକ୍ତଜଣଙ୍କୁ ଦେଖି କାହାର ଅଭିଭାବକ ଭାବିଲି । ମାତ୍ର ସେ ମୋତେ ହଠାତ ବନ୍ଧୁକ ଦେଖାଇ ସେହିଠାରେ ଛିଡା ହେବାକୁ କହିଲେ । ପିଲାଙ୍କୁ ମଧ୍ୟ ସମାନ କଥା କହିଲେ । ତାଙ୍କ ପୁଅ ଅପହରଣ ହୋଇଥିବା କହିଥିଲେ ବ୍ୟକ୍ତି ଜଣକ । ସେ ସମସ୍ତଙ୍କୁ ଗୁଳି କରି ଦେବେ ବୋଲି କହିଥିଲେ । ଏହା ଶୁଣି ସବୁ ପିଲା କାନ୍ଦିବାକୁ ଲାଗିଲେ । ପରେ ପୋଲିସ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ।''

ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମମତା:ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିନ୍ତା ପ୍ରକଟ କରିଛନ୍ତି । ସ୍କୁଲରେ ବନ୍ଧୁକ ଧରି ଆତଙ୍କ ଖେଳାଇଥିବା ବ୍ୟକ୍ତି ଜଣଙ୍କ ମାନସିକ ରୋଗୀ ବୋଲି ଗ୍ରହଣ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା । ଯଦି ସେ ମାନସିକ ରୋଗୀ ତେବେ ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କିପରି ବନ୍ଦୀ କରିବା କଥା ଭାବିବେ ବୋଲି ପ୍ରଶ୍ନ କରିଛନ୍ତି ମମତା । କିଛି ବଡ ଅଘଟଣ ଘଟିବା ପୂର୍ବରୁ ଟଳି ଯାଇଛି । ତେଣୁ ପୋଲିସ, ଶିକ୍ଷକ ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଦେବା ସହ ପୋଲସ ଟିମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଘଟଣା ବାବଦରେ ଖବର ପାଇବା ମାତ୍ର ପୋଲିସର ଏକ ଦଳ ସ୍କୁଲରେ ପହଞ୍ଚିଥିଲେ । ସତର୍କତାର ସହ ଅତି ଚତୁରତାରେ ବ୍ୟକ୍ତି ଜଣଙ୍କୁ କାବୁ କରିଥିଲା ପୋଲିସ । ଏହା ପରେ କ୍ଲାସ ରୁମରୁ ପିଲାମାନେ ଦୌଡିବାକୁ ଲାଗିଥିଲେ । ଦୀର୍ଘ ଦିନ ହେବ ବ୍ୟକ୍ତି ଜଣଙ୍କର ପତ୍ନୀ ଓ ପୁଅର କୌଣସି ଖବର ମିଳୁନାହିଁ । ସ୍କୁଲ ପିଲାଙ୍କୁ ବନ୍ଧୁକ ଦେଖାଇ ପଣବନ୍ଦୀ କରିବା ନିଜର ଦାବି ପୂରଣ ପାଇଁ ବ୍ୟକ୍ତି ଜଣଙ୍କ ଏପରି କରିଛନ୍ତି । ମାଲଦା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details