ହାଇଦ୍ରାବାଦ:ଉତ୍ତର ପ୍ରଦେଶରେ ଏକ କାର ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ପ୍ରାୟ 11 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଛି । ନୋଇଡା-ଆଗ୍ରା ଯମୁନା ଏକ୍ସପ୍ରେସ-ଓ୍ବେରେ ଗତକାଲି (ସୋମବାର) ରାତିରେ ଏପରି ଅଘଟଣ ଘଟିଛି । କାରଟି ଦୁର୍ଘଟଣାସ୍ଥଳରୁ ଯାଇ ଦୀର୍ଘ 11 କି.ମି ଦୂରରେ ଥିବା ମଥୁରାର ମନ୍ତ ଟୋଲପ୍ଲାଜା ନିକଟରେ ଅଟକିଥିଲା । କାରରେ ଏକ ମୃତଦେହ ଝୁଲନ୍ତା ଅବସ୍ଥାରେ ଲାଗି ରହିଥିବା ଦେଖି ଟୋଲପ୍ଲାଜା କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।
ସ୍ଥାନୀୟ ଏସଏସପି ଶୈଳେଶ କୁମାର ପାଣ୍ଡେଙ୍କ ସୂଚନା ଅନୁସାରେ, ଗିରଫ ଡ୍ରାଇଭର ହେଲା ଦିଲ୍ଲୀର ବିରେନ୍ଦ୍ର ସିଂ । ଘନ କୁହୁଡି ଯୋଗୁ ସେ ଦୁର୍ଘଟଣା ସମ୍ପର୍କରେ ଜାଣିପାରିନଥିବା ପୋଲିସ ନିକଟରେ ପ୍ରକାଶ କରିଛି । ଗାଡି ତଳେ ଜଣେ ବ୍ୟକ୍ତି ଲାଗିରହିଥିବା ଜାଣିନଥିବା ଡ୍ରାଇଭର ବିରେନ୍ଦ୍ର କହିଛି । ତାକୁ ଗିରଫ କରାଯିବା ସହ କାରକୁ ଜବତ କରାଯାଇଛି । ତଦନ୍ତ ଆରମ୍ଭ ହୋଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ କରିବାକୁ ମଧ୍ୟ ପ୍ରୟାସ ଜାରି ରହିଛି । ତଦନ୍ତର ଅଗ୍ରଗତି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ସେ ସୂଚନା ଦେଇଛନ୍ତି ।