ଗୌହାଟୀ:ବାଲ୍ୟ ବିବାହ ବିରୁଦ୍ଧରେ ଆସାମ ସରକାରଙ୍କ କଠୋର ଆଭିମୁଖ୍ୟ ରାଜ୍ୟରେ ଭୟାବହ ପରିସ୍ଥିତ ସୃଷ୍ଟି କରିଛି । ୧୮ ବର୍ଷରୁ କମ୍ ବୟସ୍କ ଝିଅକୁ ବିବାହ କରିବା ଅଭିଯୋଗରେ ହଜାରହଜାର ପୁରୁଷ ଗିରଫ ହେଉଛନ୍ତି । ତେବେ କେବଳ ବାଲ୍ୟ ବିବାହ କରୁଥିବା ପୁରୁଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି, ଏହି ବିବାହରେ ଯୋଗ ଦେଉଥିବା ଅତିଥିଙ୍କୁ ମଧ୍ୟ ପୋଲିସ ବାନ୍ଧି ନେଉଛି । ପୁତୁରାର ବାଲ୍ୟବିବାହରେ ସାମିଲ ହେବା ଅପରାଧରେ ଆସାମ ପୋଲିସ ଗୁରୁବାର ପ୍ରଥମ ଥର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ହେଉଛନ୍ତି ବୋଙ୍ଗାଇଗାଁ ଜିଲ୍ଲାର ଜାହିର ଅଲ୍ଲୀ ମଣ୍ଡଳ ।
ସୂଚନା ମୁତାବକ, ଜାହିର ଅଲ୍ଲୀ କିଛି ଦିନ ତଳେ ନିଜ ପୁତୁରାଙ୍କ ବିବାହରେ ସାମିଲ ହୋଇଥିଲେ । ତାଙ୍କର ପୁତୁରା ବିବାହ କରୁଥିବା ଝିଅ ନାବାଳିକା ଥିଲେ । ଏହା ଜାଣିବା ପରେ ପୋଲିସ ଜାହିରଙ୍କୁ ଗିରଫ କରିଛି । ଆଜି(ଶୁକ୍ରବାର) ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଏହି ବାଲ୍ୟ ବିବାହ ଘଟଣାରେ ଅଦ୍ୟାବିଧି ରାଜ୍ୟରେ ୨,୬୬୬ ଜଣ ପୁରୁଷ ଗିରଫ ହୋଇସାରିଲେଣି । ଆସାମ ସରକାରଙ୍କ ଅନୁଯାୟୀ, ୧୪ ବର୍ଷରୁ କମ୍ ଝିଅକୁ ବିବାହ କରିଥିବା ପୁରୁଷଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ଏବଂ ୧୪ରୁ ୧୮ ବର୍ଷର ନାବାଳିକାଙ୍କୁ ବିବାହ ମାମଲାରେ ବାଲ୍ୟବିବାହ ନିଷେଧ ଅଧିନିୟମ, ୨୦୦୬ରେ ମାମଲା ରୁଜୁ କରାଯିବ ।