ଭୋପାଳ :ମଧ୍ୟପ୍ରଦେଶ ଖରୋଗନରେ ରାମ ନବମୀରେ ଘଟିଥିବା ହିଂସାକାଣ୍ତ ଘଟଣା । ଏ ମାମଲାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଇରଫାନ୍ ।
ଗିରଫ ପରେ ଇରଫାନଙ୍କୁ ଜେଲ ପଠାଇ ଦିଆଯାଇଛି । ଏନେଇ ପୋଲିସ ଏସପି ସିର୍ଦ୍ଧାଥ ଚୌଧୁରୀ ସୂଚନା ଦେଇଛନ୍ତି । ହିଂସା ସମୟରେ ଇରଫାନ ଖଣ୍ତା ବୁଲାଇ ଲୋକଙ୍କୁ ଧରାଉ ଧମକାଉ ଥିଲା ।
ଏସପି ତାଙ୍କୁ ଧରିବା ପାଇଁ ପିଛା କରିଥିଲେ । ହେଲେ ସେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା । ଏଥିରେ ଏସପି ଆହତ ମଧ୍ୟ ହୋଇଥିଲେ ।
କିନ୍ତୁ ତାର ସହଯୋଗୀ ମୋସିନକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଖରୋଗନ ଜିଲ୍ଲାରେ ରାମ ନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଥର ମାଡ କରିଥିଲେ । ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।
ଘଟଣାରେ ମୋଟ 24 ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ କର୍ଫ୍ୟୁ ଜାରି କରିଥିଲା । ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୭୫ଟି ମାମଲା ରୁଜୁ ହୋଇଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲଗାଯାଇଥିବା କର୍ଫ୍ୟୁକୁ ମେ ୪ରେ ହଟାଯାଇଥିଲା ।