କୋଲକାତା/ନୂଆଦିଲ୍ଲୀ:ପ୍ରଶ୍ନ ପାଇଁ ଲାଞ୍ଚ ମାମଲା ଲୋକସଭା ସଦସ୍ୟତା ହରାଇଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ଏଥିକ୍ସ କମିଟି ବା ସଦାଚାର କମିଟିର ରିପୋର୍ଟ ଆଧାରରେ ମହୁଆ ମୋଇତ୍ରାଙ୍କୁ ବହିଷ୍କାର କରିଛନ୍ତି ବାଚସ୍ପିତି ଓମ୍ ବିର୍ଲା। ଯାହାକୁ କଡ଼ା ସ୍ବରରେ ନିନ୍ଦା କରିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଦି ଏହା ମଧ୍ଯ କହିଛନ୍ତି ଯେ, 2024 ଲୋକସଭା ନିର୍ବାଚନରେ ପୁଣି ଥରେ ମହୁଆ ମୋଇତ୍ରାଙ୍କୁ ଛିଡ଼ା କରିବେ।
ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ମମତା ବାନାର୍ଜୀ। ଦିଦି କହିଛନ୍ତି ଯେ, 'ନ୍ୟାୟ ନାଁରେ ମହୁଆଙ୍କ ପ୍ରତି ଅନ୍ୟାୟ ହୋଇଛି।' ଦିଦି ଆହୁରି ମଧ୍ଯ କହିଛନ୍ତି ଯେ, ମହୁଆଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆନଯିବା ଦୁର୍ଭାଗ୍ୟଜନକ । ମୁଁ ଏହାକୁ ନେଇ ଆଶ୍ଚର୍ଯ୍ଯ ଏବଂ ଦୁଖିତଃ। ଉତ୍ତର ପଶ୍ଚିମବଙ୍ଗ ଗସ୍ତରେ ଥିବା ମମତା ବାନାର୍ଜୀ , ମହୁଆଙ୍କୁ ବହିଷ୍କାର ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ମହୁଆଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପୁଣି ଥରେ ପ୍ରାର୍ଥୀ କରିବେ ଏବଂ ବିଜେପି ପୁଣି ହାରିବ ବୋଲି ସିଧା ସଳଖ ଚ୍ୟାଲେଞ୍ଜ ଦେଇଛନ୍ତି। ଦିଦି କହିଛନ୍ତି ଯେ, 'ମୋଦି ସରକାର ପରାଜୟର ପ୍ରତିଶୋଧ ନେଇଛି। ଗଣତନ୍ତ୍ରର ହତ୍ୟା ହୋଇଛି। ଆମେ ଏହାକୁ ରାଜନୈତିକ ସ୍ତରରେ ଡିଲ୍ କରିବୁ "।
ଆଜି (ଶୁକ୍ରବାର) ଲୋକସଭାରେ ଏଥିକ୍ସ କମିଟିର ରିପୋର୍ଟ ଆଗତ ହୋଇଥିଲା । ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକର ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିସ କରି ରିପୋର୍ଟ ଉପସ୍ଥାପନ କରିଥିଲେ । ଏହାପରେ ବିରୋଧୀ ହୋହଲ୍ଲା କରିଥିଲେ। ତର୍କବିତର୍କ ପରେ ଏଥିକ୍ସ କମିଟିର ରିପୋର୍ଟକୁ ଗ୍ରହଣ କରାଯାଇଥିବା ବେଳେ, ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା।
କଣ ଏହି ପ୍ରଶ୍ନ ପାଇଁ ଲାଞ୍ଚ ମାମଲା ?ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ,'ନଗଦ ଟଙ୍କା ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିଲେ ।' ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ରିପୋର୍ଟରେ କମିଟି ସାଂସଦ ମୋଇତ୍ରାଙ୍କ ବହିଷ୍କାର ପାଇଁ ସୁପାରିଶ କରାଯାଇଥିଲା । ପରେ ଏହି ରିପୋର୍ଟ ଲୋକସଭାରେ ଆଗତ ହୋଇଥିଲା ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର ନିର୍ଦ୍ଦେଶ ଦେଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ