କୋଲକାତା:ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବୃଷ୍ଟି ମୁଖାର୍ଜୀ ଚାକିରି ହରାଇଛନ୍ତି । ସେ ଭୋଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟସର ଗ୍ରୁପ ସି କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ(SSC) ଦ୍ବାରା ବେଆଇନ ଭାବେ ତାଙ୍କୁ ଅଣଶିକ୍ଷକ କର୍ମଚାରୀ ରୂପେ ନିଯୁକ୍ତି ଦିଆଯାଇଥିଲା । ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୃଷ୍ଟିଙ୍କ ଚାକିରି ଚାଲିଯାଇଥିବା ଜଣାପଡିଛି । ଅନ୍ୟପଟେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ବର୍ତ୍ତମାନ ପରିବାର ସଦସ୍ୟଙ୍କ ନାଁ ଉଠିବା ପରେ ମମତା ଅଡୁଆରେ ପଡିଛନ୍ତି ।
ବୃଷ୍ଟି ମୁଖାର୍ଜୀ ମମତା ବାନାର୍ଜୀଙ୍କ ଦାଦା ଝିଅ ଅଟନ୍ତି । ତାଙ୍କର ଘର ବୀରଭୂମି ଜିଲ୍ଲା କୁସମ୍ବା ଗାଁରେ, ଯାହାକି ମମତାଙ୍କ ବାପଘର । ଏସଏସସି ଦୁର୍ନୀତି ପ୍ରସଙ୍ଗ ଉଠିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଶିକ୍ଷକ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଚାକିରି ରବ୍ଦ କରାଯାଇଥିଲା । ଏହି ତାଲିକାର ୬୦୮ତମ ସ୍ଥାନରେ ବୃଷ୍ଟିଙ୍କ ନାମ ରହିଥିଲା । ଏହାପରେ ବୃଷ୍ଟି ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ଏନେଇ ମମତା ବାନାର୍ଜୀଙ୍କ ଭାଇ ନିହାରଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ କହିଛନ୍ତି, ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କର ଝିଅ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ ଟଙ୍କାଟିଏ ବି ଦରମା ନେଇନାହାନ୍ତି । ତେବେ ବୃଷ୍ଟି କେମିତି ଚାକିରି ପାଇଲେ ସେନେଇ ନିହାର କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । କେବଳ କହିଛନ୍ତି ଯେ, ବୃଷ୍ଟି ଆବେଦନ କରିଥିଲେ ଓ ଚାକିରି ପାଇଲେ ।