କୋଲକାତା: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିର ଦୁଇ ପ୍ରମୁଖ ସହରରେ ଥିବା କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ ଘଟଣାରେ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । କେନ୍ଦ୍ରର ବିଜେପି ସରକାର ରାଜନୈତିକ ପ୍ରତିଶୋଧ ନେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଗଣମାଧ୍ୟମ ସଂସ୍ଥାର ଅଫିସରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିିଛି । ଏପରି ହେଲେ ଦେଶରେ ଗଣମାଧ୍ୟମର ଅସ୍ତିତ୍ବ ରହିବ ନାହିଁ ମମତା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିବା ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ବିବିସିର ଭାରତରେ ଥିବା ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଗତକାଲି ଠାରୁ ଚଢାଉ ଜାରି ରହିଛି । ଯାହାକୁ ନେଇ ବିଭିନ୍ନ ମହଲରୁ ମୋଦି ସରକାରଙ୍କୁ ସମାଲୋଚନା ମଧ୍ୟ କରାଯାଉଛି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୀବ୍ର ବିରୋଧୀ ଓ ସମାଲୋଚକ ଭାବେ ଜଣାଶୁଣା ମମତା ବାନାର୍ଜୀ ମଧ୍ୟ କଡା ଟିପ୍ପଣୀ ରଖିଛନ୍ତି । ଆଜି ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ ଉପସ୍ଥାପନ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି ପ୍ରସଙ୍ଗରେ ମମତା ବିଜେପି ଉପରେ ବର୍ଷିଛନ୍ତି । ବିବିସି ଉପରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା ସ୍ପଷ୍ଟ ଯେ ଏହା କେବଳ ଏକ ରାଜନୈତିକ ପ୍ରତିଶୋଧ ପାଇଁ କରାଯାଉଥିବା ମମତା କହିଛନ୍ତି ।
2002 ମସିହାରେ ବିଜେପି ଶାସିତ ଗୁଜୁରାଟରେ ହୋଇଥିବା ହିଂସା ଉପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି । ଯାହାର ଶୀର୍ଷକ ରଖାଯାଇଛି ‘ ଦି ମୋଦି କ୍ବୋଶ୍ଚିନ’ । ଏଥିରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବକୁ ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀ ଦେଶର ବିଭିନ୍ନ ସ୍ଥାନରେ ବିବାଦ ଓ ହିଂସା ସୃଷ୍ଟି କରିଛି । ଏହି ଡକ୍ୟୁମେଣ୍ଟାରୀକୁ ଏକ ପ୍ରୋପାଗଣ୍ଡା ଦର୍ଶାଇ ଦେଶରେ ପ୍ରସାରିତ ହେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ତଥାପି କିଛି ବିରୋଧୀ ଏହାକୁ ପ୍ରଦର୍ଶିତ କରିବା ପାଇଁ ଚାପ ପକାଉଛନ୍ତି । କିଛି ଶିକ୍ଷାନୁଷ୍ଠାନରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଏହାକୁ ପ୍ରଦର୍ଶିତ କରିବା ଫଳରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିଲା ।