କୋଲକାତା:ପଶ୍ଚିମବଙ୍ଗରେ ଦଳର ପଞ୍ଚାୟତିରାଜ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ମମତା ସରକାରଙ୍କୁ କଡା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡକୁ ନେଇ ମମତା ସରକାର ଉପରେ ମୋଦି ବର୍ଷିବା ସହ ରାଜ୍ୟରେ ରକ୍ତର ରାଜନୀତି ଚାଲିଛି ବୋଲି କହିଥିଲେ । ଯାହାର ପାଲଟା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିରାଚରିତ ଢଙ୍ଗରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ହିଂସାର କଥା କହୁଛନ୍ତି, ହେଲେ ମଣିପୁରରେ ହିଂସା ନିୟନ୍ତ୍ରଣ କରିପାରୁ ନାହାନ୍ତି । ସେହିପରି ବିଜେପିରେ ବ୍ୟାପକ ଦୁର୍ନୀତି ଜାରି ରହିଥିବା କଥା ମଧ୍ୟ ମମତା ଉଠାଇ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ।
ମମତା କହିଛନ୍ତି, ‘‘ଇଣ୍ଡିଆ ମେଣ୍ଟ ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ଭୟଭୀତ ହୋଇପଡିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ସେ ଏପରି ମନ୍ତବ୍ୟ ଦେଉଛନ୍ତି । କୌଣସି ସୂଚନା ବା ତଥ୍ୟ ବିନା ସେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ସାଧାରଣ ଗରିବ ଲୋକଙ୍କ ମୃତ୍ୟୁ ହେଉ, ଏହା ପ୍ରଧାନମନ୍ତ୍ରୀ ଚାହାନ୍ତି । ସାଧାରଣ ଲୋକଙ୍କର ମୃତ୍ୟୁ ହେଉ ପଛେ ହେଲେ ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖୁ ବୋଲି ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ।’’