କୋଲକାତା: ପଶ୍ଚିମବଙ୍ଗ ବୀରଭୂମି ହିଂସାକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସରକାରୀ ଚାକିରି ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋମବାର ମମତା ମୃତକଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କୁ ନିଯୁକ୍ତି ପତ୍ର(appointment letters) ଦେଇଛନ୍ତି । ଏହାର କିଛି ଦିନ ପୂର୍ବରୁ ମମତା ବୀରଭୂମିର ହିଂସାକାଣ୍ଡସ୍ଥଳ ବୋଗତୁଇ ଗାଁ ଗସ୍ତ କରିଥିଲେ । ଏହି ସମୟରେ ସେ ମୃତକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦିଦି ଏବେ ନିଜର କଥା ରଖିଛନ୍ତି ଏବଂ ସେମାନଙ୍କୁ ଚାକିରି ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାର ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି । ସେମାନେ ଚାକିରିରେ ଯୋଗ ଦେବାରେ ଯେପରି କୌଣସି ସମସ୍ୟାରେ ନ ହୁଏ ସେଥିପାଇଁ ବୀରଭୂମି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ମୋ କଥା ରଖିଛି ଏବଂ ବୀରଭୂମି ହିଂସାକାଣ୍ଡରେ ମୃତ ପରିବାରର ୧୦ ଜଣଙ୍କୁ ଗ୍ରୁପ ଡି(Group D) ବର୍ଗରେ ସରକାରୀ ଚାକିରି ଦେଇଛି । ଯେଉଁମାନେ ଚାଲି ଯାଇଛନ୍ତି ସେମାନେ କେବେହେଲେ ଆଉ ଫେରିବେ ନାହିଁ । କିନ୍ତୁ ସେମାନଙ୍କ ପରିବାରକୁ ଏହି ଦୁଃଖରୁ ବାହାର କରିବାକୁ ଏହା ହେଉଛି ଠିକ୍ ପଦକ୍ଷେପ ବୋଲି ମମତା ବାନାର୍ଜୀ କହିଛନ୍ତି ।