ହାଇଦ୍ରାବାଦ: କ୍ରମାଗତ ତୃତୀୟ ଥର କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରବିବାର ଦିଦି ଏହି ବିଜୟକୁ ବଙ୍ଗବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଏହାସହ ନିର୍ବାଚନ ଆୟୋଗ ଓ ବିଜେପିକୁ କଡା ସମାଲୋଚନା ମଧ୍ୟ କରିଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାରେ ଥିଲା ନନ୍ଦୀଗ୍ରାମ ଆସନ, ଯେଉଁଠୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପ୍ରତିପକ୍ଷ ଥିଲେ ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ । ଟିଏମସରି ଗଡ ଏବେ ବିଜେପି ହାତରେ । ଅନେକ ଟ୍ବିଷ୍ଟ-ଟର୍ଣ୍ଣ ପରେ ଅତି କମ୍ ଭୋଟରେ ପଛୁଆ ରହିଗଲେ ମମତା ମାତ୍ର ବଙ୍ଗରେ ତାଙ୍କ ମହାବିଜୟକୁ ନେଇ ସେ ଏବେ ପ୍ରଶଂସିତ ।
‘ବଙ୍ଗଲା ନିଜେର୍ ମାଏକି ଚାଏ’ ଅର୍ଥାତ ବଙ୍ଗଳା ନିଜ ଝିଅକୁ ଚାହେଁ । ତାଙ୍କର ରାଜନୈତିକ ଯାତ୍ରା 1975ରୁ ହିଁ ଆରମ୍ଭ ହୋଇଯାଇଥିଲା, ଯେତେବେଳେ ଜୟପ୍ରକାଶ ନାରାୟଣଙ୍କ କାର ଉପରେ ନାଚି ହେଡଲାଇନରେ ସ୍ଥାନ ପାଇଥିଲେ । ସେବେଠାରୁ 40 ବର୍ଷ ବିତିଗଲା କିନ୍ତୁ ତାଙ୍କ ସଂଗ୍ରାମ ଭାରତୀୟ ରାଜନୀତିକୁ ଆଲୋକିତ କରି ଆସିଛି । ସେ 2011ରେ 34 ବର୍ଷ ଧରି ଶାସନ କରି ଆସୁଥିବା ସିପିଆଇଏମକୁ ପରାସ୍ତ କରି ରାଜ୍ୟ ଶାସନ ଭାର ତୁଲାଇଥିଲେ ମାତ୍ର ସବୁଠାରୁ ଜଟିଳ ଥିଲା 2021 ରଣନୀତି । କର ଅବା ମର ସ୍ଥିତିରେ ଥିଲେ ମମତା ।
ଭାରତୀୟ ଜନତା ଦଳ 2019 ଲୋକସଭା ନିର୍ବାଚନରେ ରାଜ୍ୟରୁ ଭୋଟ୍ ହାତେଇବା ପରେ ତାଙ୍କ ଆଧିପତ୍ୟ ଉପରେ ସଙ୍କଟ ମାଡି ଆସିଥିଲା । ଏହାସହ ବାମ-କଂଗ୍ରେସ-ଆଇଏସ୍ଏଫର ମିଳିତ ମଞ୍ଚ ତାଙ୍କ ପାଇଁ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା । ମମତା ତାଙ୍କ ଶାସନକୁ ତିନୋଟି ‘M’ ଅର୍ଥାତ୍ ‘ମା’, ‘ମାଟି’ ଏବଂ ‘ମାନୁଷ’ (ମା, ମାଟି ଏବଂ ଲୋକ) ସହ ତୁଳନା କରୁଥିଲେ । ବଙ୍ଗଳା ନିର୍ବାଚନରେ ଆଉ ତିନୋଟି ‘M’ ଫ୍ୟାକ୍ଟର ଥିଲା, ‘ମମତା’, ‘ମୋଦି’,‘ମୁସଲମାନ’ । ମମତାଙ୍କ ଆହ୍ବାନ ଥିଲା ଗୋଟିଏ ପଟେ ବଙ୍ଗଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସମର୍ଥନକୁ ପୁନଃ ପ୍ରାପ୍ତ କରିବା, ଯାହା ଆଇଏସ୍ଏଫ୍ ଦ୍ବାରା ପ୍ରଭାବିତ ହୋଇଥିଲା ।
କ୍ଷମତା ଲଢେଇକୁ ଅଧିକ ଆକର୍ଷଣୀୟ କରି ମମତା 2021 ନିର୍ବାଚନରେ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ । ନିଜର ଗତ ଭବାନୀପୁରକୁ ଛାଡି ଦିଦି ନନ୍ଦିଗ୍ରାମରେ ଲଢିବାକୁ ବାଛିଥିଲେ । ବାମ ସରକାରଙ୍କ ଜମି ଅଧିଗ୍ରହଣ ନୀତି ବିରୋଧରେ ନନ୍ଦିଗ୍ରାମ ଏବଂ ସିଙ୍ଗୁରରେ ଆନ୍ଦୋଳନ ହିଁ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପାଇଁ ପଥ ଦେଖାଇଲା । ମାର୍ଚ୍ଚ 2021ରେ ନନ୍ଦିଗ୍ରାମରେ ପ୍ରଚାର କରୁଥିବା ସମୟରେ ଆହତ ହେବା ପରେ ମମତା ହ୍ବିଲ ଚେୟାରରେ ପ୍ରଚାର ଆରମ୍ଭ କରିଦେଲେ, ଯାହା ସହାନୂଭୁତି ଭୋଟ୍ ପାଇବାରେ ସହାୟକ ହେଲା ।