କୋଲକାତା:ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ ରହିଛନ୍ତି ପଶ୍ଚିମବଙ୍ଗର ଅନେକ ମୃତାହତ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଲଗାତାର ଟାର୍ଗେଟ କରିବା ସହ ମୃତାହତଙ୍କ ପାଇଁ ଆର୍ଥିକ ସହୟତା ଓ ସରକାରୀ ଚାକିରି ମଧ୍ୟ ଘୋଷଣା କରିଛନ୍ତି । ଆଜି ନିଜେ ମମତା ଦୁଇ ମନ୍ତ୍ରୀଙ୍କୁ ଧରି ଓଡିଶା ଆସି କଟକ ଓ ଭୁବନେଶ୍ବରରେ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ମଧ୍ୟ ପରଖିଛନ୍ତି । ହେଲେ ରାଜ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦିଦିଙ୍କ ଏହି ସମ୍ବେଦନଶୀଳ ଆଭିମୁଖ୍ୟ ଭିତରେ ରାଜନୀତିର ଗନ୍ଧ ବାରିଛନ୍ତି । ଦିଦି ଦୁର୍ଘଟଣାକୁ ନେଇ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଧିକାରୀ ।
କୋଲକାତାରେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଅଧିକାରୀ କହିଛନ୍ତି, ଆହତଙ୍କୁ ଚିକିତ୍ସା ପାଇଁ ରାଜ୍ୟ ସରକାର ଯେଉଁ ସହାୟତା ଅର୍ଥରାଶି ପ୍ରଦାନ କରିବେ, ସେ ନେଇ କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟବାପୀ ଆହତଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ ବାଧ୍ୟ କରଯାଉଛି । କାରଣ ଏହି ସମୂହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଚେକ ପ୍ରଦାନ କରିବେ । ଜିଲ୍ଲା ଅଧିକାରୀ ଓ ପୋଲିସ ବଳ ଲଗାଇ ଆହତଙ୍କ ସମ୍ପର୍କୀୟଙ୍କୁ ବଳପୂର୍ବକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସହୟତା ରାଶି ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି ।