ନୂଆଦିଲ୍ଲୀ: ନବନିର୍ବାଚିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ(Mallikarjun Kharge to take charge of Congress president) । ଦିନ ୧୧ଟାରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(AICC) ମୁଖ୍ୟାଳୟରେ ସେ ଦାୟିତ୍ବ ନେବେ । ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ମୁଖ୍ୟ ମଧୁସୂଦନ ମିସ୍ତ୍ରୀ(Madhusudan Mistry) ଖଡଗେଙ୍କୁ ନିର୍ବାଚନ ସାର୍ଟିଫିକେଟ ପ୍ରଦାନ କରିବେ । ଏଥିପାଇଁ AICC ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜିର ଏହି କାର୍ଯ୍ୟକ୍ରମରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର କାର୍ଯ୍ୟକାରୀ କମିଟି ସଦସ୍ୟ, ସାଂସଦ, ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।
ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ଆମନ୍ତ୍ରିତ କରିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଏଥିରେ ଯୋଗ ଦେବେ । ଏନେଇ ମଙ୍ଗଳବାର ବାଘେଲ କହିଛନ୍ତି, ''କଂଗ୍ରେସ ପାର୍ଟିର ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ୍ଗେ କାର୍ଯ୍ୟଭାର ସମ୍ଭାଳିବେ । ଏହି ଅବସରରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରିତ କରାଯାଇଛି । ଏଥିପାଇଁ ମୁଁ ଦିଲ୍ଲୀ ଯାଉଛି ।''