ଭୁବନେଶ୍ବର:୨୪ ବର୍ଷର ବିଜେଡି ସରକାର ଓଡ଼ିଶାକୁ ପଛକୁ ଠେଲି ଦେଇଛି । ଦୁର୍ନୀତି, ବେକାରୀ ସମସ୍ୟା, ମୁଦ୍ରାସ୍ଫୀତି, ଚାଷୀଙ୍କ ଦୁର୍ଦ୍ଦଶା, ଆଦିବାସୀ ଓ ଦୁର୍ବଳ ବର୍ଗଙ୍କ ଉପରେ ଅତ୍ୟାଚାର ଯୋଗୁଁ ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି । ବିଜେଡି ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହା ବାସ୍ତବରେ ରାଜ୍ୟକୁ ବହୁ ପଛକୁ ଠେଲି ଦେଇଛି । ବୁଧବାର ଦିଲ୍ଲୀରେ ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ବୈଠକ କରିବା ପରେ ଏପରି ଟ୍ବିଟ୍ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ । ବିଜେପି ଓ ବିଜେଡି ମିଶି ଓଡ଼ିଶାକୁ ସବୁ କ୍ଷେତ୍ରରେ ପଛକୁ ଠେଲି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ବୁଧବାର ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଓଡ଼ିଶା କଂଗ୍ରେସ ନେତାଙ୍କ ବୈଠକ ବସିଥିଲା । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ରହିଥିଲେ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡିକୁ ଗାଦିତ୍ୟୁତ କରିବାକୁ ନିର୍ବାଚନ ରଣନୀତି ପ୍ରସ୍ତୁତ ସହିତ ୨୪ ଲଢ଼େଇ ପାଇଁ ଓଡ଼ିଶାର କଂଗ୍ରେସ ନେତାଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କୁଥିଲେ ଖଡ଼ଗେ ।