ନୂଆଦିଲ୍ଲୀ:ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରଜ୍ୟସଭା ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଜେରା କରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାୟ 4 ଘଣ୍ଟାରୁ ଅଧିକ ସମୟ ଧରି ଖାଡ୍ଗେଙ୍କୁ ଜେରା କରିଥିବା କଂଗ୍ରେସ ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ତାଙ୍କୁ ଜେରା ପାଇଁ ED ନୋଟିସ ଦେଇଥିବା ରାଜ୍ୟସଭାରେ ନିଜେ ସୂଚନା ଦେଇଥିଲେ ଖାଡ୍ଗେ । ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ତାଙ୍କୁ ହାଜର ହେବା ପାଇଁ ଇଡି ସମନ କରିଥିବା ଖାଡ୍ଗେ କହିଥିଲେ । ଏପରି କରି ବିଜେପି ନେତୃତ୍ବାଧୀନ ସରକାର କଂଗ୍ରେସକୁ ଦମନ କରିବା ପାଇଁ ଚେଷ୍ଟା କରୁଥିବା ଗୃହରେ କହିଥିଲେ ଖାଡ୍ଗେ । ପୂର୍ବରୁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିସାରିଛି । ଆଜି ଖାଡ୍ଗେଙ୍କୁ ଜେରା ପରେ ଆଉ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିପାରେ ସଂସ୍ଥା ।
ଆଜିର ସମନ ସମ୍ପର୍କରେ ସୂଚନା ଦେଇ ଖାଡ୍ଗେ କହିଛନ୍ତି,‘‘ ମଧ୍ୟାହ୍ନ ପ୍ରାୟ 12.30 ରେ EDର ସମନ ପାଇଲି । ଏବେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ଏହି ସମୟରେ ସେମାନଙ୍କର ଜେରା ପାଇଁ ସମନ ଯଥାର୍ଥ କି ? ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବାସଭବନ ଘେରାଉ କରିବା ଦିଲ୍ଲୀ ପୋଲିସର କାର୍ଯ୍ୟ କି ? ସେମାନେ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସକୁ ଭୟଭୀତ କରି ଦମନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆମେ ଆଦୌ ଡରିବୁ ନାହିଁ, ଲଢେଇ ଜାରି ରହିବ।’’