ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜାରି ରହିଥିବା ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ବୈଠକର ଫଳାଫଳକୁ ନେଇ ଅପେକ୍ଷା ରହିଥିବା ବେଳେ ସୂତ୍ରରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଗତକାଲି ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ନେଇ କହିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁଟର୍ଣ୍ଣ ମାରିଛନ୍ତି । ସେ ଆଜି ବୈଠକରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ନେଇ ଏକ ପ୍ରସ୍ତାବ ରଖିଛନ୍ତି । ଏହି ସମାନ ପ୍ରସ୍ତାବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ କେଜ୍ରିଓ୍ବାଲ ମଧ୍ୟ ରଖିଛନ୍ତି । ମାତ୍ର ଖଡଗେ ଏଥିରେ ସହମତ ପ୍ରକାଶ କରିନଥିବା ସୂତ୍ରରୁ ସୂଚନା ମିଳିଛି । ଏନେଇ ମେଣ୍ଟର କୌଣସି ସହଯୋଗୀ ଦଳ ସୂଚନା ଦେଇନଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ଏପରି ଏକ ପ୍ରସ୍ତାବ ମମତା ଓ କେଜ୍ରିଓ୍ବାଲଙ୍କ ଦ୍ବାରା ରଖାଯାଇଥିବା କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି ।
ଆଜି ଦିଲ୍ଲୀରେ ମେଣ୍ଟର 4ର୍ଥ ବୈଠକ ଶେଷ ହୋଇଛି । ତମାମ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ । ତେବେ ନିର୍ବାଚନ ପାଖଉଥିବା ବେଳେ ଏବେ ମେଣ୍ଟର ସାଙ୍ଗଠନିକ ରୂପ ମଧ୍ୟ ସ୍ପଷ୍ଟ ହୋଇନି । ପ୍ରଧାନମନ୍ତ୍ରୀ ଚେହେରା, ମେଣ୍ଟର ମୁଖ୍ୟ ଆବାହକ ଓ ରାଜ୍ୟଓ୍ବାରୀ ଆସନ ବୁଝାମଣା ଉପରେ ମୁଖ୍ୟତଃ ଗୁରୁତ୍ବ ଦିଆଯାଉଛି । ଏହି ମୁଖ୍ୟ ପ୍ରସଙ୍ଗଗୁଡିକରେ ମେଣ୍ଟ କେଉଁ ନିଷ୍ପତ୍ତି ନେବ ତାହାକୁ ଦେଶବାସୀ ଅପେକ୍ଷା କରିଥିବା ବେଳେ ଗତକାଲି ମମତାଙ୍କ ଇଙ୍ଗୀତ ଭିନ୍ନ ସୂଚନା ଦେଇଥିଲା ।
ବୈଠକ ପାଇଁ ଦିଲ୍ଲୀ ଆସିବା ପୂର୍ବରୁ ନିର୍ବାଚନ ପୂର୍ବରୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଦିଦି । କହିଥିଲେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ କି’ଏ ହେବେ ସେ ସମ୍ପର୍କରେ ଆଲୋଚନା ହେବ । ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, କଂଗ୍ରେସ ପରିବର୍ତ୍ତେ ତୃଣମୂଳ କଂଗ୍ରେସ ଓ ନୀତିଶଙ୍କ ସଂଯୁକ୍ତ ଜନତା ଦଳ ମେଣ୍ଟ ନେତୃତ୍ବ ନେବା ପାଇଁ ଆଗ୍ରହୀ ଅଛନ୍ତି ।