ନୂଆଦିଲ୍ଲୀ: ଆସନ୍ତାମାସ ପ୍ରଥମ ସପ୍ତାହରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି । ଅଗଷ୍ଟ 1 ରୁ 4 ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଥିବା ସୋଲି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଷ୍ଟ୍ରପତି ସୋଲି ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଦୁଇ ଦେଶରେ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମ ବିଦେଶୀ ଅତିଥି ଭାବେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ ହେବ ସାକ୍ଷାତକାର ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଳଦ୍ବୀପ ରାଷ୍ଟ୍ରପତି, ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବେ । ରାଷ୍ଟ୍ରପତି ଇବ୍ରାହିମଙ୍କ ସହ ଏକ ଉଚ୍ଚସ୍ତରୀୟ ଅଧିକାରୀ ଟିମ ମଧ୍ୟ ନୂଆଦିଲ୍ଲୀ ଆସୁଛନ୍ତି । ଦୁଇ ଦେଶ ମଧ୍ୟରେ ଜାରି ରହିଆସିଥିବା ସହଭାଗିତା ଓ ସମ୍ପର୍କ ସୁଦୃଢୀକରଣ ଦିଗରେ ଏକାଧିକ ଆଲୋଚନାମୂଳକ କାର୍ଯ୍ୟକ୍ରମ ମଧ୍ୟ ହେବ ।