ଶ୍ରୀନଗର:ଘାଟିରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ଏକ ବଡ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ସେନା । ପାକିସ୍ତାନ ପଟୁ ଏହି ଅନୁପ୍ରବେଶ ଉଦ୍ୟମ କରାଯାଉଥିବା ବେଳେ ଏହାକୁ ରୋକିବାରେ ସେନା ସଫଳତା ପାଇଛି । ସେନା ଗୁଳିରେ ଜଣେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଅପରେସନରେ ବିପୁଳ ନିଶାଦ୍ରବ୍ୟ ମଧ୍ୟ ଜବତ କରାଯାଇଛି । ଏପ୍ରିଲ 8 ତାରିଖ ରାତିରେ ସେନା ଦ୍ବାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଅପରେସନ ସମ୍ପର୍କରେ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 8 ତାରିଖ ମଧ୍ୟ ରାତିରେ ପୁଞ୍ଚ ସେକ୍ଟରରେ କିଛି ସନ୍ଦେହଜନକ ଗତିବିଧି ନେଇ ସେନାକୁ ସୂଚନା ମିଳିଥିଲା । ଏନେଇ ସେନାର ଏକ ଟିମ ଘଟଣାସ୍ଥଳ ଅଭିମୁଖେ ପୁରା ପ୍ରସ୍ତୁତି ସହ ଯାଇଥିଲେ । ସେଠାରେ 3ଜଣ ସନ୍ଦିଗ୍ଧ ସୀମା ପାର କରି ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ସେମାନଙ୍କୁ ସେନା ପକ୍ଷରୁ ଚେତାବନୀ ଦିଆଯିବା ସହ ଗୁଳି ମଧ୍ୟ ଚଳାଯାଇଥିଲା । ସେମାନେ ପାକିସ୍ତାନ ପଟକୁ ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ସେନା ଗୁଳିରେ ଜଣେ ଅନୁପ୍ରବେଶକାରୀ ଘଟଣାସ୍ଥଳରେ ନିପାତ ହେବା ସହ ଅନ୍ୟ ଦୁଇ ଆହତ ହୋଇ ଲୁଚି ଯାଇଥିଲେ ।